ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ସୋରରେ ଶିଆଳ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଦିନ ଡାଳଙ୍ଗ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ଶିଆଳ ପଶି ୪ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କୁ ଆକ୍ରମଣ କରିଛି। ଶିଆଳ ଆକ୍ରମଣରେ ଆହତ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରର ୪ ଜଣ ଶିଶୁ ଏବଂ ୬ ଜଣ ଗ୍ରାମବାସୀ ସୋର ଏବଂ ଭଦ୍ରକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଶୁକ୍ରବାର ସକାଳେ ଡାଳଙ୍ଗ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନେ ପାଠ ପଢ଼ୁଥିବା ବେଳେ ଗୋଟିଏ ଶିଆଳ ପଶି ପିଲାମାନଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ପିଲାଙ୍କ ସହ କେନ୍ଦ୍ରର ଅନ୍ୟ କର୍ମଚାରୀ ଭୟରେ ଚିତ୍କାର କରିଥିଲେ। ଏମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଶିଆଳଟିକୁ ଘଉଡ଼େଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗ୍ରାମବାସୀଙ୍କୁ ଶିଆଳଟି ଆକ୍ରମଣ କରିଥିଲା। ଶିଆଳ ଆକ୍ରମଣରେ ୬ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି।

ଶେଷରେ ଗ୍ରାମବାସୀ ଶିଆଳଟିକୁ କାବୁ କରିବାରେ ସଫଳ ହୋଇଛନ୍ତି। ଗ୍ରାମରେ ଶିଆଳଟିକୁ ବାନ୍ଧି ରଖିବା ସହ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଛନ୍ତି।

Tags: #Balesor #Sora #FoxAttack

Comment