ଓଡ଼ିଶାଲାଇଭ୍ ବ୍ୟୁରୋ

ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିଜର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଥିବା ଗ୍ରାମୀଣ କ୍ୟାମ୍ପସରେ ଟେଲିହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ ଗେଲ ଇଣ୍ଡିଆ ସହ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷର କରିଛି। ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ସମସ୍ତ ୭ଟି ଗ୍ରାମୀଣ କ୍ୟାମ୍ପସରେ ଏହି ଟେଲିହେଲଥ୍ କିଓସ୍କ ନିର୍ମାଣ ହେବ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ଲୋକେ ଏଠାରେ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ।
ଏହି ଟେଲିହେଲଥ୍ କିଓସ୍କରେ ଲୋକମାନେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଏହାସହ ଏଠାରେ ସୁଲଭ ମୂଲ୍ୟରେ ଔଷଧ ମିଳିବା ସହ ବିଭିନ୍ନ ଡାଇଗ୍ନୋଷ୍ଟିକ୍ ପରୀକ୍ଷା କରାଯିବ। ଏଠାରେ ଅନଲାଇନରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ ହେବ।
“ଏହି ଟେଲିହେଲଥ କିଓସ୍କ ଦ୍ଵାରା ଗ୍ରାମାଞ୍ଚଳବାସୀ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ହୋଇପାରିବ। ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଉତ୍ସାହିତ ଅଛୁ। ଆଗକୁ ଏହି ସୁବିଧା କେବଳ ସାତୋଟି ଗ୍ରାମାଞ୍ଚଳରେ ସୀମିତ ନରହି ସାରା ରାଜ୍ୟରେ ଏହାର ବିସ୍ତାର ହେବ ବୋଲି ଆମେ ବିଶ୍ଵାସ ରଖିଛୁ”, କହିଛନ୍ତି ଗେଲ ଇଣ୍ଡିଆର ସ୍ଵତନ୍ତ୍ର ନିର୍ଦେଶକ ଏନ. ନନ୍ଦଗୋପାଲ।
ଏହି ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ଗେଲ ଇଣ୍ଡିଆର ଇଡି ସିଏସଆର ତଥା ଏଚଆର ନିଗମାନନ୍ଦ ମିଶ୍ର, ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏବଂ ବିଶ୍ଵବିଦ୍ୟାଳୟର ଲେଖପାଳ ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Tags: #CenturionUniversity #TelehealthKiosks #UniversityRuralCampus #GailIndia




















