ଓଡ଼ିଶାଲାଇଭ୍ ବ୍ୟୁରୋ

ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି। ରାଜ୍ୟର ସରକାରୀ ଅଧିକାରୀଙ୍କ ପ୍ରଶାସନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କ୍ଷେତ୍ରରେ ସହଭାଗିତା ପାଇଁ ଦୁଇ ଅନୁଷ୍ଠାନ ଏହି ଏମଓୟୁ ସ୍ଵାକ୍ଷର କରିଛନ୍ତି। ଶନିବାର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ନିର୍ଦେଶକ ଡକ୍ଟର ଶଶାଙ୍କ ଗ୍ରହାଚାର୍ଯ୍ୟ ଓ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ମିଶ୍ର ଏହି ଏମଓୟୁରେ ସ୍ଵାକ୍ଷର କରିଥିଲେ।

ଏହି ଏମଓୟୁ ଅନୁସାରେ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ବିକାଶ ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ସହ ସହଭାଗିତା କରାଯିବ। ଏକାଡେମିକ ରିସର୍ଚ୍ଚ ତଥା ଡେଭଲପମେଣ୍ଟ ଏବଂ ତାଲିମ କ୍ଷେତ୍ରରେ ବିଶ୍ଵବିଦ୍ୟାଳୟ ଗୋପାବନ୍ଧୁ ପ୍ରଶାସନିକ ଏକାଡେମୀର ସହଯୋଗ କରିବ।

“ଓଡ଼ିଶାର ସରକାରୀ ତଥା ପ୍ରଶାସନିକ ଅଧିକାରୀଙ୍କ ତାଲିମ ଓ ଦକ୍ଷତା ବିକାଶ ପାଇଁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ସହ ସହଭାଗିତା ଆମ ପାଇଁ ବହୁଳ ଭାବେ ସହାୟକ ହେବ। ଏହା ମାଧ୍ୟମରେ ପ୍ରଶାସନିକ ପ୍ରଶିକ୍ଷଣ କ୍ଷେତ୍ରରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଶିକ୍ଷାଦାନର ମାନ ଦେଶରେ ବଢ଼ିବ। ଏହା ଆମ ରାଜ୍ୟ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ”, କହିଛନ୍ତି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ରାଜ କୁମାର ଶର୍ମା।

ଏହି ଏମଓୟୁ ସ୍ଵାକ୍ଷର କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପମହାନିର୍ଦେଶକ କାନନବାଳା ନାୟକ, ଏକାଡେମୀର ଅତିରିକ୍ତ କମିଶନର ଡକ୍ଟର ପି କେ ମିଶ୍ର ଏବଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ପ୍ରଫେସର କେ ଭି ଡି ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଉଭୟ ଅନୁଷ୍ଠାନର ଅନେକ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #CenturionUniversity #GopabandhuAcademyofAdministration #MOU #AdministrativeSkillDevelopment #Odisha

Comment