ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ସାଇବର ସୁରକ୍ଷା ହାକାଥନ୍ ‘କୱଚ-୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ସୁରକ୍ଷାକୁ ନେଇ ୩୬ ଘଣ୍ଟିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ହାକାଥନରେ ପୂର୍ବଭାରତର ବିଭିନ୍ନ ରାଜ୍ୟର ୨୩ଟି ଦଳର ମୋଟ ୧୩୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଆଜିର ଡିଜିଟାଲ ଯୁଗରେ ସାଇବର ସୁରକ୍ଷା କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାଗୁଡ଼ିକର ଉତ୍ତମ ସମାଧାନ ଖୋଜିବା ଉଦ୍ଦେଶ୍ୟରେ ଏହି ସାଇବର ହାକାଥନର ଆୟୋଜନ କରାଯାଇଛି। ଏଠାରେ ପ୍ରତିଯୋଗୀମାନଙ୍କୁ ସାଇବର ସୁରକ୍ଷାକୁ ନେଇ ବିଭିନ୍ନ କାର୍ଯ୍ୟ ଦିଆଯାଇ ସେଗୁଡ଼ିକର ସମାଧାନ ବାହାର କରିବା ପାଇଁ କୁହାଯାଇଥିଲା।

ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଦଳ ଏବଂ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ହାକାଥନରେ ପ୍ରଥମ ପୁରସ୍କାର ଭାବେ ବିଜୟୀ ଦଳକୁ ୧ ଲକ୍ଷ ଟଙ୍କା ଅର୍ଥ ରାଶି ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଆବହନ କ୍ରମେ ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନୋଲୋଜିକାଲ୍ ଏଜୁକେସନ (ଏଆଇସିଟିଇ), କେନ୍ଦ୍ରୀୟ ପୋଲିସ୍ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ ଏବଂ ଭାରତୀୟ ସାଇବର କ୍ରାଇମ୍ ସମନ୍ୱୟ ପରିଷଦ ମିଳିତ ଭାବେ ଏହି ‘କୱଚ-୨୦୨୩’ ସାଇବର ହକାଥନର ଆୟୋଜନ କରିଛନ୍ତି।

ଭାରତର ୫ଟି ଆଞ୍ଚଳିକ ଜୋନରେ ଏହି ‘କୱଚ-୨୦୨୩’ ସାଇବର ହକାଥନର ଆୟୋଜନ କରାଯାଇଥିଲା। ପୂର୍ବ ଭାରତରେ ଓଡ଼ିଶାର ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଏହା ଆୟୋଜିତ ହୋଇଥିଲା।

Tags: #CenturionUniversity #Kawach2023 #CyberHackathon #CyberSecurity #India

 

Comment