ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ ଚିନ୍ତା ବଢ଼ିଛି। ପୁରୀ ଜିଲ୍ଲାରେ ବନ୍ୟା ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଜିଲ୍ଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି।

ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜଳସେଚନ ବିଭାଗ ଅଧିକାରୀ ଏବଂ ୧୧ଟି ବ୍ଲକର ବିଡିଓମାନଙ୍କ ସହ ଆଲୋନା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ନଦୀବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ କରିବା, ଆବଶ୍ୟକ ପରିମାଣର ବାଲିବସ୍ତା ମହଜୁଦ ରଖିବା ସହ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ବିଡିଓମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

“ବର୍ତ୍ତମାନ କୌଣସି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ସେଭଳି ପରିସ୍ଥିତି ଉପୁଜିଲେ ସମ୍ପୃକ୍ତ ବ୍ଲକର ବିଡିଓମାନେ ଆବଶ୍ୟକତା ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି”, କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ମହାନଦୀର ବନ୍ୟା ଜଳ ପୁରୀ ଜିଲ୍ଲାର ଦୟା, ଭର୍ଗବୀ, ଲୁଣା ଏବଂ ମକରା ନଦୀ ଆଦିରେ ପ୍ରବେଶ କରୁଥିବାରୁ ଏହି ନଦୀଗୁଡ଼ିକ ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦେଶ ରହିଛି। ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ଲାଗି ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗର ମୋଟ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି।

ସମ୍ଭାବ୍ୟ ବନ୍ୟ ପରିସ୍ଥିତିର ମୁକାବିଲା ଲାଗି ସବୁ ପ୍ରକାର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

Tags: #FloodAlert #Puri #FloodSituation #FloodManagement

Comment