ଓଡ଼ିଶାଲାଇଭ୍ ବ୍ୟୁରୋ

ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମିଳିଲା ଝଟକା। ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇ ସର୍ଭେ। ସର୍ଭେ କାର୍ଯ୍ୟ ବନ୍ଦ କରିବାକୁ ମୁସଲିମ ପକ୍ଷଙ୍କ ତରଫରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଖାରଜ କରିଦେଇଛନ୍ତି।

ଏହା ସହ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇର ସାଇଣ୍ଟିଫିକ୍ ସର୍ଭେ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି “ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ କାହିଁକି ଦଖଲ ଦେବେ?”

ଏଏସଆଇ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ବିବାଦୀୟ ସ୍ଥାନକୁ ଛାଡ଼ି ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ କାର୍ଯ୍ୟ କରାଯିବ। ସର୍ଭେ ସମୟରେ ଏଏସଆଇ କୌଣସି ଖୋଳାଖୋଳି କରିବ ନାହିଁ କିମ୍ବା କାନ୍ଥର କୌଣସି କ୍ଷତି ପହଞ୍ଚାଇବନି। ତେଣୁ ଏଏସଆଇର ସର୍ଭେ କରାଯିବାରେ କୋଉଠି ଅସୁବିଧା ରହିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଏହି ମାମଲାର ଶୁଣାଣି କରିବା ସମୟରେ ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ପାଇଁ ଅନୁମତି ଦେବା ସହ ବନ୍ଦ ଲଫାପାରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ଶୁକ୍ରବାର ଦିନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦୀଓ୍ଵାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

Tags: #VaranasiCourt #SupremeCourt #ASIScientificSurvey #GyanvapiMasjid #ASISurvey

Comment