ଓଡ଼ିଶାଲାଇଭ୍ ବ୍ୟୁରୋ

ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ। ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡରେ।
ଝାଡ଼ଖଣ୍ଡର ଚାଇବାସା କୋଲହାନ ଜଙ୍ଗଲରେ ଶୁକ୍ରବାର ଦିନ କମ୍ବିଂ ଅପରେସନ ଚାଲିଥିଲା ବେଳେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ନସ୍କଲଙ୍କ ସହ ମୁହାଁମୁହିଁ ବେଳେ ସିଆରପିଏଫ ଯବାନ ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆଙ୍କ ଛାତିରେ ଗୁଳି ବାଜିଥିଲା।
ନକ୍ସଲଙ୍କ ଗୁଳିରେ ସହିଦ ହୋଇଥିଲେ ସୁଶାନ୍ତ ଖୁଣ୍ଟିଆ। ନକ୍ସଲଙ୍କ ଗୁଳିରେ ଉତ୍ତରପ୍ରଦେଶର ମୁନ୍ନା ଯାଦବ ନାମକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ୩ ଦିନ ଧରି ଚାଲିଥିଲା ନକ୍ସଲ ଦମନ ଅପରେସନ। ଦୁଇ ଦିନ ତଳେ ନକ୍ସଲଙ୍କ ବଡ଼ କ୍ୟାମ୍ପ ଏବଂ ବଙ୍କରକୁ ଧ୍ୱଂସ କରିଦେଇଥିଲେ ଯବାନମାନେ।
ସହିଦ ସୁଶାନ୍ତଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ବଡ଼ଭାଇ ସିଆରପିଏଫ ଯବାନ ଥିବା ସମୟରେ ସହିଦ ହୋଇଥିଲେ। ଆଉ ଜଣେ ଭାଇ କ୍ୟାନ୍ସରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିବାବେଳେ ବାପା କିଛି ବର୍ଷ ପୂର୍ବରୁ ଦେହତ୍ୟାଗ କରିଥିଲେ। ରୋଗୀଣା ମା’ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ।
ବର୍ତ୍ତମାନ ସହିଦ ସୁଶାନ୍ତଙ୍କ ପରିବାର କହିଲେ ଗର୍ଭବତୀ ପତ୍ନୀ ଏବଂ ସାନ ଭଉଣୀ। ସୁଶାନ୍ତଙ୍କ ସହିଦ ହେବା ଖବର ପହଞ୍ଚିବା ପରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଓ ବନ୍ଧୁବାନ୍ଧବ। ସ୍ଵାମୀଙ୍କ ବିରହରେ ଥରକୁ ଥର ମୁର୍ଚ୍ଛା ଯାଉଛନ୍ତି ସହିଦଙ୍କ ପତ୍ନୀ। ଦୁନିଆକୁ ଆସିବା ଆଗରୁ ବାପାଙ୍କୁ ସବୁଦିନ ପାଇଁ ହରାଇ ଦେଇଛି ଗର୍ଭସ୍ଥ ଶିଶୁ। ସହିଦ ସୁଶାନ୍ତଙ୍କ ପାଇଁ କାନ୍ଦ ବୋବାଳିରେ ଫାଟିପଡ଼ୁଛି ଗାଁ ମାଟି।
Tags: #NaxalAttack #OdiaJawan #SushantKumarKhuntia #CRPFConstable #Jharkhand #SushantKumarKhuntiaMartyred

















