ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ଅମର ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପର୍ଣ୍ଣ ହେଲା ଶେଷକୃତ୍ୟ। ଶନିବାର ଦିନ ବିରାଟ ଶୋଭାଯାତ୍ରାରେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା ଜନ୍ମମାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଖୁଣ୍ଟିଆ ସାହିରେ।

ନକ୍ସଲଙ୍କ ସହ ଲଢ଼ିଲଢ଼ି ଶୁକ୍ରବାର ଦିନ ସାହିଦ ହୋଇଥିଲେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ। ଶନିବାର ବିରାଟ ଶୋଭାଯାତ୍ରାରେ ଗାଁ ମାଟିରେ ପହଞ୍ଚିଥିଲା ସହିଦ ଯବାନ ସୁଶାନ୍ତଙ୍କ ମର ଶରୀର। ଅମର ସହିଦଙ୍କ ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ ପରିବାର, ସାଙ୍ଗସାଥୀ, ସମ୍ପର୍କୀୟ ଏବଂ ଗ୍ରାମବାସୀ।

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସହିଦଙ୍କ ଗାଁ। ସୁଶାନ୍ତଙ୍କ ସହିଦ ହେବା ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପତ୍ନୀ ଏବଂ ପରିବାର ଲୋକେ। ସ୍ଵାମୀଙ୍କୁ ଶେଷ ଦେଖା କରିବାକୁ ପହଞ୍ଚିଥିଲେ ସହିଦଙ୍କ ପତ୍ନୀ। ସୁଶାନ୍ତଙ୍କ ପାର୍ଥିବ ଶରୀର ପାଖରେ ବାରମ୍ବାର ମୂର୍ଚ୍ଛିତ ହେଉଥିଲେ ସେ। ନା ଲୁହକୁ ଅଟକାଇ ପାରୁଥିଲେ, ନା କୋହ ସମ୍ଭାଳି ପାରୁଥିଲେ। ଯାହାକୁ ଦେଖିବ ତା’ ଆଖିରେ ଲୁହ। ଆଉ ଫେରିବନି ଗାଁର ସୁନା ପୁଅ ସୁଶାନ୍ତ।

ଶୁକ୍ରବାର ଦିନ ଝାଡ଼ଖଣ୍ଡର କୋଲହାନ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବାବେଳେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଗୁଳିରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ। ନସ୍କଲଙ୍କ ସହ ମୁହାଁମୁହିଁ ବେଳେ ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା।

ନକ୍ସଲଙ୍କ ଗୁଳିରେ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିବାବେଳେ ଉତ୍ତରପ୍ରଦେଶର ମୁନ୍ନା ଯାଦବ ନାମକ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ବୁଧବାର ଦିନଠାରୁ ଚାଲିଥିଲା ନକ୍ସଲ ଦମନ ଅପରେସନ ବେଳେ ନକ୍ସଲଙ୍କ ବଡ଼ କ୍ୟାମ୍ପ ଏବଂ ବଙ୍କରକୁ ଧ୍ୱଂସ କରିଦେଇଥିଲେ ଯବାନମାନେ।

Tags: #NaxalAttack #OdiaJawan #SushantKumarKhuntia #CRPFConstable #Jharkhand #SushantKumarKhuntiaMartyred #Funeral #MilitaryHonour

Comment