ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମେଣ୍ଢା ମାଂସ ଭୋଜି ନଦେବାରୁ ଦାହ ସଂସ୍କାର ପାଇଁ ମିଳିଲାନି ସହଯୋଗ, ୩ ଦିନ ଧରି ଘରେ ପଡ଼ିରହିଲା ବୃଦ୍ଧାଙ୍କ ଶବ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲବିଲ୍ଲା ଗ୍ରାମରେ।

ଶନିବାର ଦିନ ତେଲବିଲ୍ଲା ଗ୍ରାମର ସୋମବାରୀ ସିଂ ନାମକ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମରେ ଥିବା ପରମ୍ପରା ଅନୁସାରେ ଯଦି ଗ୍ରାମର କାହାର ମୃତ୍ୟୁ ହୁଏ, ତେବେ ଗ୍ରାମବାସୀଙ୍କୁ ମାଂସ ଭୋଜି ଦେବାକୁ ପଡ଼ିଥାଏ। କିନ୍ତୁ ସୋମବାରୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାଂସ ଭୋଜି ଦେବା ଲାଗି ଗ୍ରାମବାସୀଙ୍କ ଆଗରେ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲେ। ଫଳରେ ଶବ ସତ୍କାର ପାଇଁ ଗ୍ରାମବାସୀ ସହଯୋଗ କରିବାକୁ ମନା କରିଦେଇଥିଲେ।

ଗତ ବର୍ଷ ସୋମବାରୀ ସିଂଙ୍କ ପୁଅ ବିବାହ ସମୟରେ ଗ୍ରାମବାସୀଙ୍କୁ ମାଂସ ଭୋଜି ଦେଇନଥିଲେ। ଫଳରେ ତାଙ୍କ ପରିବାରକୁ ସହଯୋଗ ନକରିବାକୁ ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଶନିବାର ଦିନ ସୋମବାରୀଙ୍କର ମୃତ୍ୟୁ ହେବା ପରେ ତାଙ୍କ ପୁଅ ଶବ ସତ୍କାର ଲାଗି ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ୧୦ କେଜି ମେଣ୍ଢା ମାଂସ ଭୋଜି ଦେଲେ ସତ୍କାର କାର୍ଯ୍ୟରେ ସହଯୋଗ କରିବେ ବୋଲି ଗ୍ରାମବାସୀ କହିଥିଲେ।

ତେବେ ମାଂସ ଭୋଜି ଦେବାକୁ ଅସମର୍ଥ ଥିବା ମୃକଙ୍କ ପୁଅ କହିବାରୁ ଗ୍ରାମବାସୀ ଶବ ଉଠାଇବାରେ ସହଯୋଗ କରିବାକୁ ମନା କରିଦେଇଥିଲେ। ଫଳରେ ତିନିଦିନ ଧରି ଘର ଭିତରେ ବୃଦ୍ଧାଙ୍କର ଶବ ପଡ଼ିରହିଲା। ଏହାକୁ ନେଇ ଗ୍ରାମରେ ପୁଣି ବୈଠକ ବସିଥିଲା। ମୃତ ସୋମବାରୀଙ୍କ ପୁଅ ମାଂସ ଭୋଜି ଦେବାକୁ ରାଜି ହେବା ପରେ ଶବ ସତ୍କାର କରାଯାଇଥିଲା।

Tags: #Mayurbhanj #DeadBody #Funeral #Odisha

LEAVE A REPLY

Please enter your comment!
Please enter your name here