ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟିଶ ଅମଳର ୩ଟି ଗୁରୁତ୍ଵପୂର୍ଣ୍ଣ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଆଇପିସି, ସିଆରପିସି ଏବଂ ଆଇଇଏ ଧାରା ବଦଳି ଆସିବ ନୂଆ ଆଇନ। ଶୁକ୍ରବାର ଦିନ ଏ ନେଇ ସଂସଦରେ ୩ଟି ବିଲ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଇପିସି ହଟିବା ପରେ ଏହା ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ।

ସିଆରପିସି ହଟିବା ପରେ ଏହାର ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଆଇଇଏ ହଟି ଏହା ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆସିବ।

ଲୋକସଭାରେ ଭାରତୀୟ ସଂହିତା ସୁରକ୍ଷା ବିଲ-୨୦୨୩ ଉପରେ ଆଲୋଚନା କରି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ, “ଆଇନର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା।”

ସେ ଆହୁରି କହିଥିଲେ, ୧୮୬୦ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧିକ ନ୍ୟାୟପ୍ରଣାଳୀ ଇଂରେଜମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା। ଏହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ପରିଆସୁଛି। କିନ୍ତୁ ବ୍ରିଟିଶ ଅମଳର ଏହି ଆଇନ ବ୍ୟବସ୍ଥାରୁ ୩ଟି ଆଇନ ବଦଳିବ ଏବଂ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ଅମିତ ଶାହ କହିଛନ୍ତି।

ପୂର୍ବରୁ ଆଇପିସିରେ ୫୧୧ ଧାରା ଥିଲା ଏବେ ୩୫୬ଟି ଧାରା ରହିବ। ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ। ୮ଟି ନୂଆ ଧାରା ଯୋଡ଼ାଯିବ। ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟାଇବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ସେହିପରି ସିଆରପିସିରେ ୫୩୩ ଧାରା ରହିବ। କିନ୍ତୁ ୧୬୦ ଧାରା ବଦଳିବ। ସିଆରପିସିରେ ୯ଟି ନୂଆ ଧାରା ସାମିଲ ହେବ ବୋଲି ଅମିତ ଶାହ ସୂଚନା ଦେଇଛନ୍ତି।

ନୂଆ ଆଇନ ଭାରତର ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାଦ୍ଵାରା ଶିଶୁ ଓ ମହିଳାମାନଙ୍କୁ ନ୍ୟାୟ ମିଳିବ।

Tags: #IPC #CRPC #IEA #AmitShah #LokSabha #UnionMinisterAmitShah #IPCLaw

Comment