ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଶନିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସୁପର ଫାଇନାଲରେ ଭାରତ ଓ ମାଲେସିଆ ମୁହାଁମୁହିଁ ହେବେ। ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଟାଇଟଲ ଲକ୍ଷ୍ୟରେ ମ୍ୟାଚ ଖେଳିବାକୁ ଓହ୍ଲାଇବ ଟିମ ଇଣ୍ଡିଆ।

ଭାରତୀୟ ଦଳ ଶୁକ୍ରବାର ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ୫-୦ ଗୋଲରେ ପରାସ୍ତ କରି ଫାଇନାଲର ଟିକେଟ ହାସଲ କରିଥିଲା। ସେହିପରି ଅନ୍ୟ ଏକ ସେମିଫାଇନାଲରେ ମାଲେସିଆ ୬-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲକୁ ଆସିଥିଲା।

ଜାପାନ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅତି ଆକର୍ଷଣୀୟ ରହିଥିଲା। ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ, ଆକାଶଦୀପ ସିଂହ, ମନପ୍ରୀତ ସିଂହ, ସୁମିତ ଓ ସେଲଭମ କାର୍ଥି ଗୋଲ ସ୍କୋର କରିଥିଲେ। ଦଳର ଡିଫେନ୍ସ ଏତେ ମଜଭୁତ ଥିଲା ଯେ ଜାପାନର ଖେଳାଳିମାନେ ଗୋଲ ଦେବାକୁ ସକ୍ଷମ ହୋଇନଥିଲେ।

ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଟିମ ଇଣ୍ଡିଆ ଏ ଯାଏଁ ଅପରାଜେୟ ରହିଛି। ଗ୍ରୁପ ପର୍ଯ୍ୟାୟରେ ଦଳ ୧୩ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିଲା। ୪ଟି ମ୍ୟାଚ ଖେଳି ୩ଟିରେ ଜିତି ଗୋଟିଏ ମ୍ୟାଚ ଡ୍ର ରଖିଥିଲା ଟିମ ଇଣ୍ଡିଆ।

ଟୁର୍ଣ୍ଣାମେଣ୍ଟରେ ଭାରତର ନେତୃତ୍ୱ ନେଉଥିବା ହରମନପ୍ରୀତ ସିଂହ ନିଜର ସୁନ୍ଦର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଏ ଯାଏଁ ମୋଟ ୭ଟି ଗୋଲ ଦେଇ ପ୍ରତିଯୋଗିତାର ଟପ୍ ସ୍କୋରର ରହିଛନ୍ତି। ସେହିପରି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଡିଫେନ୍ସର ମଙ୍ଗ ଧରିଛନ୍ତି ଓଡ଼ିଆ ଖେଳାଳି ଅମିତ ରୋହିଦାସ। ସେହିଭଳି ହାର୍ଦିକ ସିଂହ, ଯୁଗରାଜ ସିଂହ, ମନପ୍ରୀତ ସିଂହ, ସେଲଭମ କାର୍ଥି, ନୀଳକଣ୍ଠ ଶର୍ମାଙ୍କ ଭଳି ଖେଳାଳୀମାନେ ମଧ୍ୟ ଭଲ ହକିର ପ୍ରଦର୍ଶନ କରୁଛନ୍ତି।

ଭାରତ ବର୍ତ୍ତମାନ ବିଶ୍ଵ ହକି ରାଙ୍କିଂରେ ଚତୁର୍ଥ ସ୍ଥାନରେ ରହିଛି। ଏହି ଏସିଆନ ଚାମ୍ପିୟାନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟକୁ ଦଳ ୩ ଥର ଜିତିଛି। ଆଜି ଫାଇନାଲରେ ମଧ୍ୟ ଦଳ ନିଜ ଉତ୍ତମ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Tags: #AsianHockeyChampionsTrophy #Final #IndiavsMalaysia #HockeyIndia #FIH #Hockey

Comment