ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଟାଇଟଲ ଜିତିଛି ଟିମ୍ ଇଣ୍ଡିଆ। ଚେନ୍ନାଇରେ ଶନିବାର ହୋଇଥିବା ସୁପର ଫାଇନାଲରେ ମାଲେସିଆକୁ ୪-୩ ଗୋଲ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଏଥିସହ ଚତୁର୍ଥଥର ପାଇଁ ଏହି ଟ୍ରଫି ଉଠାଇଛି ଭାରତୀୟ ଦଳ। ଷ୍ଟାଡିୟମରେ ହଜାର ହଜାର ଦର୍ଶକ ଏହି ମେଗା ଫାଇନାଲର ମଜା ଉଠାଇଥିଲେ।

ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଭାରତର ହାର୍ଦିକ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି। ସେହିପରି ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଜାପାନ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା।

ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ଲଢ଼ୁଆ ପ୍ରଦର୍ଶନ ଆରମ୍ଭ କରିଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟରର ୮ ମିନିଟରେ ଭାରତର ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଦଳ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ହେଲେ ଏହାପରେ ମାଲେସିଆର ଖେଳାଳିମାନେ ଫିଲ୍ଡରେ ଆଟାକିଂ ଖେଳ ଆରମ୍ଭ କରିଥିଲେ। ମ୍ୟାଚର ୧୪ ତମ ମିନିଟରେ ମାଲେସିଆ ଏକ ଫିଲ୍ଡ ଗୋଲ୍ ଦେଇ ସ୍କୋର ବରାବର କରିଦେଇଥିଲା।

ଦ୍ଵିତୀୟ କ୍ୱାର୍ଟରରେ ମାଲେସିଆ ଦୁଇଟି ଗୋଲ୍ ଦେଇ ମ୍ୟାଚରେ ୩-୧ରେ ଆଗୁଆ ହୋଇଥିଲା। ଏହାସହ ଦଳର ଡିଫେନସ୍ ଭାରତୀୟ ଖେଳାଳିମାନଙ୍କୁ ଗୋଲ୍ କରିବାକୁ ଦେଇନଥିଲା।

ଏହାପରେ ତୃତୀୟ କ୍ୱାର୍ଟର ସରିବାକୁ ଆଉ ୩ ମିନିଟ ବାକି ଥିବାବେଳେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଭାରତ ମାତ୍ର ଗୋଟେ ମିନିଟ ଭିତର ଲଗାତର ୨ଟି ଗୋଲ୍ ଦେଇ ମ୍ୟାଚର ଦିଗ ବଦଳେଇ ଦେଇଥିଲା। ଅଧିନାୟକ ହରମନପ୍ରିତ୍ ସିଂହଙ୍କ ଗୋଟେ ପେନାଲ୍ଟି ଷ୍ଟ୍ରୋକ ଓ ଗୁର୍ଜନ୍ତ ସିଂହଙ୍କ ଫିଲ୍ଡ ଗୋଲ୍ ମ୍ୟାଚକୁ ୩-୩ରେ ବରାବର କରିଦେଇଥିଲା।

ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଫିଲ୍ଡରେ ନିଜର ପ୍ରାଧାନ୍ୟ ବିସ୍ତାର କରି ମାଲେସିଆ  ପଛରେ ପକାଇ ଦେଇଥିଲେ। ମ୍ୟାଚର ୫୬ତମ ମିନିଟରେ ଆକାଶଦୀପ ସିଂହ ଭାରତ ପାଇଁ ବିଜୟୀ ଗୋଲ୍ ଦେଇଥିଲେ।

ଏହି ଟାଇଟ ବିଜୟ ସହ ଚତୁର୍ଥ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ କରିଛି ଟିମ୍ ଇଣ୍ଡିଆ। ଏହାପର୍ବରୁ ଦଳ ୨୦୧୧, ୨୦୧୬ରେ ଏହି  ଜିତିଥିଲା। ଏହାସହ ୨୦୧୮ରେ ପାକିସ୍ତାନ ସହ ଏହି  ଏସିଆନ ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ହୋଇଥିଲା ଭାରତ। ଆଗକୁ ଆସୁଥିବା ଏସିଆନ ଗେମ୍ସରେ ମଧ୍ୟ ଭାରତୀୟ ଦଳ ନିଜର ବିଜୟଧାରା ଜାରି ରଖିବ ବୋଲି ହକିପ୍ରେମୀମାନେ ଆଶାବାଦୀ ଅଛନ୍ତି।

Tags: #AsianHockeyChampionsTrophy #Final #IndiavsMalaysia #HockeyIndia #FIH #Hockey

LEAVE A REPLY

Please enter your comment!
Please enter your name here