ଓଡ଼ିଶାଲାଇଭ୍ ବ୍ୟୁରୋ

(ସମ୍ବଲପୁର): ବନ୍ଦ ଘର ଭିତରୁ ମା’ ପୁଅଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାରେ। ମୃତକମାନେ ହେଲେ ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା।

ଅନୁଗୁଳିଆପଡ଼ାର ଏକ ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସୋମବାର ଦିନ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଘରର କବାଟ ଖୋଲିବା ପରେ ଜ୍ୟୋତ୍ସ୍ନାରାଣୀ ଏବଂ ତାଙ୍କ ପୁଅଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା। ପୋଲିସ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ପୂର୍ବରୁ କୌଣସି କାରଣରୁ ଜୋତ୍ସ୍ନାରାଣୀଙ୍କ ସାନ ପୁଅର ମୃତ୍ୟୁ ହୋଇଥିଲା। ସେବେଠାରୁ ପରିବାର ସଦସ୍ୟ ବିଷାଦଗ୍ରସ୍ତ ଥିଲେ ଏବଂ ପଡ଼ୋଶୀଙ୍କ ସହ ମିଳାମିଶା କରିବା ବନ୍ଦ କରିଦେଇଥିଲେ ବୋଲି ସ୍ଥାନୀୟ ଲୋକେ ପୋଲିସକୁ କହିଛନ୍ତି।

ମୃତ ସୁଧୀରଙ୍କ ପତ୍ନୀ ସୁନ୍ଦରଗଡ଼ ସ୍ଥିତ ବାପ ଘରକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଏହା ଆତ୍ମହତ୍ୟା ନା ହତ୍ୟା ତା’ର କାରଣ ଜାଣିବାକୁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Sambalpur #Suicide #Death #MotherSon #PoliceInvestigation

Comment