ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ୍ (ଭୁବନେଶ୍ୱର) ପକ୍ଷରୁ ଏକ ମାସିକ ‘ଆର୍ଥିକ ଅନ୍ତର୍ଭୁକ୍ତି ସେମିନାର ସିରିଜ୍’ ଆରମ୍ଭ ହୋଇଛି। ଏହାର ପରିଚାଳନା କରୁଛନ୍ତି ଏକ୍ସଆଇଏମର ଆକାଉଣ୍ଟିଂ ବିଭାଗର ଅଧ୍ୟାପକ ପ୍ରଫେସର ଡିଭି ରମଣା। ଏହି ସିରିଜର ପ୍ରଥମ ସେମିନାରରେ ରାସ୍ତାପାର୍ଶ୍ୱ ଉଠାଦୋକାନୀଙ୍କ ପାଇଁ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଷ୍ଟ୍ରିଟ୍ ଭେଣ୍ଡର୍ସ ଆକ୍ଟ ୨୦୧୪ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଆଇନ ଅଧୀନରେ ଉଠାଦୋକାନୀଙ୍କ ପାଇଁ କ’ଣ ସୁବିଧା ରହିଛି ଏବଂ ସେମାନଙ୍କ ଅଧିକାର ବିଷୟରେ କୁହାଯାଇଥିଲା।

ସେହିପରି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା (ପିଏମ ସ୍ୱନିଧି) ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା। ଏହି ଯୋଜନା ଅଧୀନରେ ଉଠାଦୋକାନୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ୍ ସୁବିଧା ବା କ୍ଷୁଦ୍ର ୠଣ ବ୍ୟବସ୍ଥା କରିଛନ୍ତି। ତେଣୁ ସେମାନେ କେମିତି ଏହାର ଫାଇଦା ନେଇପାରିବେ ସେ ବିଷୟରେ ବ୍ୟାପକ ସଚେତନତା କରାଯାଇଥିଲା।

ଏକ୍ସଆଇଏମ୍ ପକ୍ଷରୁ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ସଂଘ ଏବଂ ନାସଭିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଯୋଗ ଦେଇ ଏସଡିଆରସିର ନିର୍ଦ୍ଦେଶକ ରତ୍ନାକର ପାଣିଗ୍ରାହୀ, ଷ୍ଟ୍ରିଟ୍ ଭେଣ୍ଡର କାପାସିଟି ବିଲ୍ଡିଂ ପ୍ରୋଗାମର ରିସୋର୍ସ ପର୍ସନ ପୃଥିବୀ ରଞ୍ଜନ ପାଢ଼ୀ, ଲୋଟସ୍ ମିଣ୍ଟର ନିର୍ଦ୍ଦେଶକ ବିଭୂତି ଭୂଷଣ ଦାଶ ଉଠାଦୋକାନୀ ଲିଡରମାନଙ୍କୁ ସଚେନତ କରିଥିଲେ। ଏଥିରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଉଠାଦୋକାନୀ ମହାସଂଘର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

Tags: #XavierUniversityBhubaneswar #AwarenessSeminar #StreetVendors #PMSVANidhiScheme

Comment