ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧ ଲକ୍ଷ ୧ ହଜାର ବିକ୍ରେତା ପାଇଲେ ସ୍ଵତନ୍ତ୍ର କୋଭିଡ ସହାୟତା
  • ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ମିଳିଥିଲା ସହାୟତା
  • ୮୭ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ଵ ବିକ୍ରେତାଙ୍କୁ ୩୦୦୦ ଟଙ୍କା ଲେଖାଏଁ ସ୍ଵତନ୍ତ୍ର କୋଭିଡ ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି।

କୋଭିଡ ମହାମାରୀ ସମୟରେ ପଥପାର୍ଶ୍ଵ ବିକ୍ରେତା ବା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ଜୀବିକାକୁ ସଜାଡ଼ିବା ପାଇଁ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୦୨୦ ଓ ଜୁନ୍‌ ୨୦୨୧ରେ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ଵ ବିକ୍ରେତାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ଵ ବିକ୍ରେତା ହେଉଛନ୍ତି ଗୁରୁତ୍ଵପୂର୍ଣ୍ଣ ଅଂଶ। ବଡ଼ ବଡ଼ ମଲ୍‌ ଓ ଦୋକାନ ଥିବା ସତ୍ତ୍ଵେ, ପଥପାର୍ଶ୍ଵ ବିକ୍ରେତାମାନଙ୍କର ଗୁରୁତ୍ଵ ରହିଛି ଓ ରହିବ।ସେହିପରି କୋଭିଡ ଭୟ ଏବେ ଟଳି ନଥିବାରୁ ସମସ୍ତ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ଵ ବିକ୍ରେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଲକଡାଉନ୍ କାରଣରୁ ଶୋଚନୀୟ ହୋଇପଡ଼ିଥିବା ସେମାନଙ୍କ ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ୫-ଟି ସଚିବ ଭି.କେ. ପାଣ୍ଡିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନରମାନେ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment