ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ଶାଶୂର ଗଳାକାଟି ହତ୍ୟା କରିବା ଅଭିଯୋଗରେ ବୋହୂକୁ ଗିରଫ କରିଛି ପୋଲିସ। ଏହି ଅଭାବନୀୟ କାଣ୍ଡ ହେଉଛି ଭୁବନେଶ୍ଵର ଖଣ୍ଡଗିରିବାରିର। ଗତ ଅଗଷ୍ଟ ୧୫ ତାରିଖରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦଫାଶ କରିଛି ଭରତପୁର ପୋଲିସ।

ଗତ ଅଗଷ୍ଟ ୧୫ ତାରିଖରେ ମଦା ପଲେଇ ନାମକ ଜଣେ ବୃଦ୍ଧାଙ୍କୁ ତାଙ୍କ ଘରେ ଗଳାକାଟି ହତ୍ୟା କରାଯାଇଥିଲା। ଗୁରୁତ ଅବସ୍ଥାରେ ମୃତକଙ୍କ ବୋହୂଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ। ଘରେ କିଛି ଦୁର୍ବୃତ୍ତ ପଶି ଶାଶୂଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସକୁ ବୟାନ ଦେଇଥିଲେ ବୋହୂ ବୈଶାଖୀ ପଲେଇ। ଦୁର୍ବୃତ୍ତମାନେ ବୈଶାଖୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ସେ ପୋଲିସକୁ କହିଥିଲେ।

ଏହା ପରେ ପୁଣି ପୋଲିସ ବୈଶାଖୀଙ୍କ ବୟାନ ନେବାକୁ ଯାଇଥିଲା। ବାରମ୍ବାର ବୈଶାଖୀଙ୍କ କଥାରେ ତାଳମେଳ ରହୁନଥିବାରୁ ପୋଲିସର ସନ୍ଦେହ ହୋଇଥିଲା। ଏହା ପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବାରୁ ଶାଶୂଙ୍କୁ ଛୁରୀରେ ହତ୍ୟା କରିଥିବା ପୋଲିସ ଆଗରେ ସ୍ଵୀକାର କରିଥିଲେ ବୈଶାଖୀ।

ମଙ୍ଗଳବାର ଦିନ ବୈଶାଖୀଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ବୈଶାଖୀଙ୍କ ବୟାନ ଆଧାରରେ ହତ୍ୟାରେ ବ୍ୟବହାର କରାଯାଇଥିବା ଛୁରୀକୁ ତାଙ୍କ ପାଇଖାନା ଟାଙ୍କିରୁ ଜବତ କରାଯାଇଛି। ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Tags: #Murder #Arrest #PoliceInvestigation #Bhubaneswar

Comment