ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ ଆଥଲେଟ କିଶୋର ଜେନା। ହଙ୍ଗେରୀର ବୁଡାପେଷ୍ଟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟର ଜାଭେଲିନ ଥ୍ରୋ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି କିଶୋର। ସେ ଯୋଗ୍ୟତା ପର୍ଯ୍ୟାୟରେ ୮୦.୫୫ ମିଟର ଜାଭେଲିନ ଫିଙ୍ଗି ଫାଇନାଲକୁ ଯାଇଛନ୍ତି। ଫାଇନାଲରେ ଭାରତ ପକ୍ଷରୁ କିଶୋରଙ୍କ ସମେତ ଡି ପି ମନୁ ଏବଂ ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ପ୍ରତିଦ୍ଵନ୍ଦ୍ଵିତା କରିବେ।
ଏହି ଟୁର୍ଣ୍ଣାମେଣ୍ଟରେ କିଶୋରଙ୍କ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ଚୋପ୍ରା ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲକୁ ଯାଇଥିଲେ। ସେହିପରି ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଥିଲେ।
ଏବେ ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ ଥ୍ରୋ ଫାଇନାଲରେ ଭାରତର ୩ ଜଣ ଖେଳାଳି ଟକ୍କର ନେବେ। ଏହାଦ୍ଵାରା ଭାରତର ପଦକ ଜିତିବାର ଆଶା ବହୁଗୁଣିତ ହୋଇଛି।
କିଶୋର ଜେନା ଭାରତର ଉଦୀୟମାନ ଜାଭେଲିନ ଥ୍ରୋ ଖେଳାଳି। ସେ ଲେବନାନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ଆଥଲେଟିକ୍ସ ଚାମ୍ପିୟନସିପରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାସହ ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର ଆଥଲେଟିଲ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତି ଚଳିତବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଜାଭେଲିନ ଥ୍ରୋରେ କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର। ତେଣୁ ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସବୁ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି। ଫାଇନାଲରେ ଭଲ ପ୍ରଦର୍ଶନ ମାଧ୍ୟମରେ ସେ ୨୦୨୪ ପ୍ୟାରିସ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିପାରିବେ।
Tags: #WorldAthleticsChampionship #KishoreJena #JavelinThrow #Athletics #Sports #Odisha