ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ଅତ୍ୟାଧୁନିକ ନିଦାନ କେନ୍ଦ୍ର (ଡାଇଗ୍ନୋଷ୍ଟିକ ସେଣ୍ଟର) ପ୍ରତିଷ୍ଠା କରାଯାଇଛି। ଝାରସୁଗୁଡ଼ା ଓ ଲଇକେରାରେ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ଦୁଇଟିର ନିର୍ମାଣ କରାଯାଇଛି। ଏହା ଜିଲ୍ଲାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭର୍ଚୁଆଲ୍ ମାଧ୍ୟମରେ ଦୁଇ ନିଦାନ କେନ୍ଦ୍ରକୁ ଉଦଘାଟନ କରିଥିଲେ।

ଏହି ଦୁଇଟି ନିଦାନ କେନ୍ଦ୍ରକୁ ୪୦ କୋଟି ଟଙ୍କା ନିବେଶରେ ନିର୍ମାଣ କରାଯାଇଛି। ଏଠାରେ ଏମଆରଆଇ ଓ ସିଟି ସ୍କାନ୍ ଭଳି ସୁବିଧା ସହିତ ବ୍ୟାପକ ରେଡିଓଲୋଜି ଓ ପାଥୋଲୋଜି ସେବା ଉପଲବ୍ଧ ହେବ। ସ୍ଥାନୀୟ ଲୋକମାନେ ଏଠାରୁ ଶସ୍ତାରେ ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷା କରାଇପାରିବେ।

“ଝାରସୁଗୁଡ଼ା ଓ ଲଇକେରାର ଏହି ଦୁଇ ନିଦାନ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବ। ସ୍ୱାସ୍ଥ୍ୟ ସେବାର ଉନ୍ନତି ହେଲେ ଓଡ଼ିଶା ଆହୁରି ବିକଶିତ ହେବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସହ ଘରୋଇ କ୍ଷେତ୍ରର ସହଯୋଗ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ବେଦାନ୍ତର ଉଦ୍ୟମ ପ୍ରଶଂସନୀୟ”, କହିଛନ୍ତି ନବୀନ ପଟ୍ଟନାୟକ।

ଝାରସୁଗୁଡ଼ାରେ ଉଦଘାଟିତ ହୋଇଥିବା ନିଦାନ କେନ୍ଦ୍ର ଦୁଇଟି ପ୍ରତିଦନ ସକାଳ ୮ଟାରୁ ରାତି ୮ଟା ଯାଏଁ ଖୋଲା ରହିବ। ଝାରସୁଗୁଡ଼ା ସହ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାର ଲୋକମାନେ ମଧ୍ୟ ଏଠାରୁ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।

ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ାରେ ଏହି ନିଦାନ କେନ୍ଦ୍ରଗୁଡ଼ିକର ପରିକଳ୍ପନା କରିଥିଲେ। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଝାରସୁଗୁଡ଼ାର ଜିଲ୍ଲାପାଳ ଆବୋଲି ସୁନିଲ ନରବଣେ ଏବଂ ବେଦାନ୍ତ ଆଲୁମିନିୟମର ସିଓଓ ସୁନିଲ ଗୁପ୍ତା ଅତିଥି ଭାବେ ଯୋଗ ଦେଇଥିଲେ।

Tags: #VedantaAluminium #DiagnosticsCenter #HealthServices #Healthcare #Jharsuguda

Comment