ଓଡ଼ିଶାଲାଇଭ୍ ବ୍ୟୁରୋ

 

ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ ପରେ ପ୍ରଥମଥର ପାଇଁ ଆମ ସମସ୍ତଙ୍କୁ ଦେଖିବାକୁ ମିଳିଛି ‘ବିକ୍ରମ’ ଲ୍ୟାଣ୍ଡରର ଫଟୋ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଛି ‘ପ୍ରଜ୍ଞାନ’ ରୋଭର। ବୁଧବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଟ୍ଵିଟ କରି ଏହି ଫଟୋକୁ ସେୟାର କରାଯାଇଛି।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ପରେ ‘ବିକ୍ରମ’ ଲ୍ୟାଣ୍ଡର କେମିତି ଛିଡ଼ା ହୋଇଛି ଏହି ଫଟୋରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଲ୍ୟାଣ୍ଡରରେ ଲାଗିଥିବା ୨ଟି ବୈଜ୍ଞାନିକ ଉପକରଣ ‘ଚାଷ୍ଟେ’ ଓ ‘ଇଲସା’ ନିଜର କାମ କରୁଥିବା ଫଟୋରେ ଦେଖିବାକୁ ମିଳିଛି। ଏହି ଫଟୋକୁ ‘ଇମେଜ ଅଫ ଦ ମିଶନ’ ବୋଲି କହିଛି ଇସ୍ରୋ।

ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ‘ବିକ୍ରମ’ ଲ୍ୟାଣ୍ଡର ‘ପ୍ରଜ୍ଞାନ’ ରୋଭରର ଫଟୋ ଉଠାଇଥିଲା। ରୋଭରଟି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଥିବାର ଭିଡିଓ ଦେଖିବାକୁ ମିଳିଥିଲା। ଏବେ ‘ପ୍ରଜ୍ଞାନ’ ରୋଭର ନିଜ କ୍ୟାମେରା ଜରିଆରେ ‘ବିକ୍ରମ’ ଲ୍ୟାଣ୍ଡରର ଫଟୋ ଉଠାଇଛି।

ସେହିପରି ମଙ୍ଗଳବାର ଦିନ ଚନ୍ଦ୍ରଯାନ-୩ ନିଜର ବୈଜ୍ଞାନିକ ଉପକରଣ ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଆଇରନ ଓ ଅକ୍ସିଜେନ ଥିବା ନେଇ ଆବିଷ୍କାର କରିଥିଲା। ଏହାକୁ ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା।

ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଥିଲା ଭାରତ।

Tags: #Chandrayaan-3 #VikramLander #PragyanRover #MoonSurface #ISRO

 

Comment