ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗରେ ଏକ ନୂଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷିକିଆ ପାଠ୍ୟକ୍ରମର ନାମ ରହିଛି ‘ଡିପ୍ଲୋମା ଇନ କମ୍ୟୁନିକେସନ ଫର ସୋସିଆଲ ଆଣ୍ଡ ବିହେଭିୟର ଚେଞ୍ଜ’ (ସିଏସବିସି)।  ଶିକ୍ଷାବର୍ଷ ୨୦୨୩-୨୪ରେ ଏହି କୋର୍ସରେ ପାଠପଢ଼ା ହେବ।

ଫକୀର ମୋହନ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ତରଫରୁ ‘ୟୁନିସେଫ’ ସହ ସହଭାଗିତା ମାଧ୍ୟମରେ ଏହି କୋର୍ସ ଆରମ୍ଭ କରାଯାଇଛି। ଏଥିପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ଧାର୍ଯ୍ୟ କରାଯାଇଛି।

ଅତ୍ୟାଧୁନିକ ମିଡିଆ ଓ କମ୍ୟୁନିକେସନର ଗୋଟିଏ ଦିଗ ହେଉଛି ‘ବିହେଭିୟର ଚେଞ୍ଜ କମ୍ୟୁନିକେସନ’। ଏଥିରେ ଆମେ କମ୍ୟୁନିକେସନ ମାଧ୍ୟମରେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ତଥା ଜନସାଧାରଣଙ୍କର ଆଚରଣ ଓ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଲାଗି ଉଦ୍ୟମ କରିଥାଉ।

ବର୍ତ୍ତମାନ ସରା ପୃଥିବୀରେ ସାମ୍ବାଦିକତା ସହିତ କମ୍ୟୁନିକେସନର ଏକ ବ୍ୟାପକ କ୍ଷେତ୍ର ସୃଷ୍ଟି ହୋଇଛି। ସାମାଜିକ ଯୋଗାଯୋଗ କ୍ଷେତ୍ର ତଥା  ଡେଭେଲପମେଣ୍ଟ ସେକ୍ଟରରେ ଏହି ସ୍କିଲର ଅନେକ ଚାହିଦା ରହିଛି। ଏହି କ୍ଷେତ୍ରରେ କାମ କରୁଥିବା ଦେଶ ବିଦେଶର ବିଭିନ୍ନ ଏନଜିଓ ତଥା ଡେଭେଲପମେଣ୍ଟ ଏଜେନ୍ସିଗୁଡ଼ିକ ପାଇଁ ଦକ୍ଷ କର୍ମଚାରୀ ସୃଷ୍ଟି କରିବା ଏହି କୋର୍ସର ଲକ୍ଷ୍ୟ ରହିଛି।

ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ କମ୍ୟୁନିକେସନର ବ୍ୟାପକ ପ୍ରୟୋଗ କରାଯାଉଛି। ଏଥିପାଇଁ ବିଭିନ୍ନ ସରକାରୀ ବିଭାଗ ଏବଂ ସରକାରୀ କାର୍ଯ୍ୟକ୍ରମ ସହ ଜଡ଼ିତ ବା ଅନୁବନ୍ଧିତ ସଂସ୍ଥାଗୁଡ଼ିକରେ ‘ସିଏସବିସି’ ପ୍ରୋଫେସନାଲମାନଙ୍କ ଚାହିଦା ରହିଛି।

ଗଣମାଧ୍ୟମ ତଥା କମ୍ୟୁନିକେସନ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏବଂ ମିଡ କ୍ୟାରିୟର ଜର୍ଣ୍ଣାଲିଷ୍ଟମାନେ ତଥା କମ୍ୟୁନିକେସନ କଂସଲ୍ଟଟାଣ୍ଟ ଏହି କୋର୍ସ ପାଇଁ ଆବେଦନ କରିପାରିବେ। ଏହାସହ ସାମ୍ବାଦିକତା ଓ ଗଣଯୋଗାଯୋଗ, ଡେଭେଲପମେଣ୍ଟ କମ୍ୟୁନିକେସନ କ୍ଷେତ୍ରରେ କ୍ୟାରିୟାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ପାଠ୍ୟକ୍ରମ ବିଶେଷ ଉପାଦେୟ ହୋଇପାରିବ। ଜାଣନ୍ତୁ କେମିତି ଏହି କରିବେ ଆବେଦନ।

କୋର୍ସ

  • କମ୍ୟୁନିକେସନ ଫର ସୋସିଆଲ ଆଣ୍ଡ ବିହେଭିୟର ଚେଞ୍ଜ (ଡିପ୍ଲୋମା)
  • ଅବଧି – ୧ ବର୍ଷ (୩ଟି ଟ୍ରାଇମଷ୍ଟର)
  • କୋର୍ସ ଫି’ – ୧୫ ହଜାର ଟଙ୍କା

ଯୋଗ୍ୟତା

  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସାମ୍ବାଦିକତା ଏବଂ ଗଣଯୋଗାଯୋଗ, ସୋସିଓଲୋଜି ଏବଂ ସାଇକୋଲୋଜିରେ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନ କରିଥିବା ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ

ଚୟନ ପ୍ରକ୍ରିୟା

  • ଏହି କୋର୍ସରେ ନାମଲେଖା ପାଇଁ କୌଣସି ପ୍ରବେଶିକା ପରୀକ୍ଷା କରାଯିବ ନାହିଁ
  • ଆବେଦନ କରିଥିବା ପ୍ରାର୍ଥୀଙ୍କର ପାର୍ସନାଲ୍ ଇଣ୍ଟରଭ୍ୟୁ କରାଯିବ
  • ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ ଓ କ୍ୟାରିୟର ମାର୍କକୁ ନେଇ ସେମାନଙ୍କୁ ନାମଲେଖା ପାଇଁ ଚୟନ କରାଯିବ   

କେମିତି କରିବେ ଆବେଦନ

ଏହି କୋର୍ସ ପାଇଁ ଆବେଦନ କେବଳ ଅଫଲାଇନ ମୋଡରେ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆବେଦନ ଫର୍ମପୂରଣ କରି ଏହାକୁ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ‘ଏଚଓଡି’ଙ୍କ ପାଖକୁ ଡାକ ମଧ୍ୟମରେ ପଠାଇବାକୁ ପଡ଼ିବ।

ଆବେଦନ ଫର୍ମ ସହ ପ୍ରାର୍ଥୀମାନେ ସେମାନଙ୍କ କ୍ୟାରିୟର ସାର୍ଟିଫିକେଟ, ମାର୍କସିଟ ଏବଂ ୬୦୦ ଟଙ୍କା ଆବେଦନ ଦେୟ ପଠାଇବେ। ଆବେଦନ ପତ୍ର ସେପ୍ଟେମ୍ବର ୧୫ ତାରିଖ ଭିତରେ ବିଶ୍ଵ ବିଦ୍ୟାଳୟରେ ପହଞ୍ଚିବା ଆବଶ୍ୟକ।

ଠିକଣା: ବିଭାଗୀୟ ମୁଖ୍ୟ, ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ, ଫକୀର ମୋହନ ବିଶ୍ଵବିଦ୍ୟାଳୟ, ବ୍ୟାସ ବିହାର, ପୋଷ୍ଟ – ନୂଆପାଢ଼ି, ଜିଲ୍ଲା – ବାଲେଶ୍ଵର, ପିନ – ୭୫୬୦୮୯, ଓଡ଼ିଶା    

‘‘ସିଏସବିସି ବା ‘ସାମାଜିକ ଏବଂ ଆଚରଣଜନିତ ପରିବର୍ତ୍ତନ ପାଇଁ ଯୋଗାଯୋଗ’ ହେଉଛି ଏମିତି ଏକ ପ୍ରକ୍ରିୟା, ଯାହା କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଭିତରେ ବସା ବାନ୍ଧିଥିବା ଅଭ୍ୟାସ ଏବଂ ତା’ର ଆଚରଣକୁ ବଦଳାଇ ଦିଏ। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, ଲିଙ୍ଗଗତ ସମାନତା ଓ ଏଭଳି ଅନେକ କ୍ଷେତ୍ରରେ ସକାରାତ୍ମକ ସାମାଜିକ ପରିବର୍ତ୍ତନ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ’’, କହିଛନ୍ତି ଫକୀର ମୋହନ ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଭାରତୀବାଳା ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ୟୁନିସେଫ୍‌ ସହଯୋଗରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗ ପକ୍ଷରୁ ଏହି ପିଜି ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରାଯାଉଛି। ଉନ୍ନୟନ କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଏହି ପାଠ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।’’

“ଏହି ‘ସିଏସବିସି’ ପାଠ୍ୟକ୍ରମ ଓଡ଼ିଶାରେ ସାମାଜିକ ଏବଂ ଆଚରଣଗତ ପରିବର୍ତ୍ତନ ଯୋଗାଯୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ ପଦକ୍ଷେପ। ଏହି କୋର୍ସ ମଧ୍ୟମରେ ବିଭିନ୍ନ ସରକାରୀ ବିଭାଗ, ବେସରକାରୀ ସଂସ୍ଥା ତଥା ବିକାଶ ସଂଗଠନଗୁଡ଼ିକ ପାଇଁ ଦକ୍ଷ କର୍ମଚାରୀ ସୃଷ୍ଟି ହୋଇପାରିବେ”, କହିଛନ୍ତି ୟୁନିସେଫର ଏସବିସି ସ୍ପେସାଲିଷ୍ଟ ସୁଗତ ରୟ।

ଆବେଦନ କରିବା ନିମନ୍ତେ ଫର୍ମ ହାସଲ କରିବା ପାଇଁ ଡାଉନଲୋଡ ଉପରେ କ୍ଲିକ କରନ୍ତୁ। କୋର୍ସ ବାବଦରେ ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ, ଇମେଲ – csbcfmu@gmail.com, ମୋବାଇଲ- ୯୩୬୬୫୩୫୫୬୪, ହ୍ୱାଟ୍ସଆପ୍ – ୯୮୫୯୬୯୬୮୧୩ ।    

Tags: #FakirMohanUniversity #Journalism&MassCommunication #CommunicationForSocial&BehaviorChange #DevelopmentCommunication #Balasore

Comment