ଓଡ଼ିଶାଲାଇଭ୍ ବ୍ୟୁରୋ

ଜି-୨୦ ଶିଖର ସମ୍ମିଳନୀ ପାଇଁ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଭାରତ ଆସିବେ। ସବୁ ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରକୁ ନେଇ ଏବେ ବିବାଦ ଦେଖାଦେଇଛି। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ‘ପ୍ରେସିଡେଣ୍ଟ ଅଫ ଭାରତ’ କାହିଁକି ଲେଖାଯାଇଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି। ଜୟରାମ ରମେଶଙ୍କ ବ୍ୟତୀତ ଅନ୍ୟ ବିରୋଧୀ ଦଳର ନେତାମାନେ ମଧ୍ୟ ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

“ସେପ୍ଟେମ୍ବର ୯ ତାରିଖରେ ହେବାକୁ ଥିବା ଜି-୨୦ ରାତ୍ରିଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଯେଉଁ ନିମନ୍ତ୍ରଣ ପତ୍ର ପଠାଯାଇଛି ସେଥିରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି। ଆମ ସମ୍ବିଧାନରେ ଭାରତକୁ ଇଂରାଜୀରେ ‘ଇଣ୍ଡିଆ’ ବୋଲି କୁହାଯାଇଛି। ଏହାସହ ଭାରତ ଏକ ରାଜ୍ୟମାନଙ୍କର ଗୋଷ୍ଠୀ ବୋଲି ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଭାରତର ସ୍ଵତନ୍ତ୍ର ପରିଚୟକୁ ନଷ୍ଟ କରିଦେବ। ଏହା ଦେଶ ପାଇଁ ଭଲ ନୁହେଁ”, କହିଛନ୍ତି ଜୟରାମ ରମେଶ।

ଅନ୍ୟପଟେ ବିଜେପି ଓ ଏନଡିଏର ଅନେକ ସାଂସଦ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯିବାକୁ ସମର୍ଥନ କରିଛନ୍ତି। ଭାରତ ଲେଖାଯିବାକୁ ନେଇ ବିରୋଧୀମାନେ ଯେଉଁ ଆପତ୍ତି କରିଛନ୍ତି ତାହାକୁ ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି।

“ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ନେଇ କୌଣସି ଅସୁବିଧା ନାହିଁ। ଏହା ଆମ ଦେଶ ପାଇଁ ଗର୍ବର ବିଷୟ। ଦେଶର ସମ୍ମାନ ଓ ଗୌରବ ସହ ଜଡ଼ିତ ପ୍ରତ୍ୟେକ ବିଷୟ ଉପରେ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ସବୁବେଳେ ଆପତ୍ତି କରୁଛନ୍ତି। ‘ଭାରତ ଯୋଡ’ ନାଁରେ ରାଜନୈତିକ ଯାତ୍ରା କରୁଥିବା କଂଗ୍ରେସ ‘ଭାରତ ମାତା କି ଜୟ’ ସ୍ଲୋଗାନକୁ ଘୃଣା କରୁଛି। କଂଗ୍ରେସର ଏଭଳି ଚରିତ୍ରକୁ ଦେଶବାସୀ ଦେଖୁଛନ୍ତି”, କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା।

ଏବେ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି। ଏହାପୂର୍ବରୁ ଅନେକ ବିଜେପି ସାଂସଦ ସମ୍ବିଧାନରୁ ‘ଇଣ୍ଡିଆ’ ଶବ୍ଦ ଉଠାଇ ଦେବା ଠିକ ହେବ ବୋଲି ସଂସଦରେ ଦାବି କରିଥିଲେ।

Tags: #G20Summit2023 #India #Bharat #PoliticalParties #Politics

 

LEAVE A REPLY

Please enter your comment!
Please enter your name here