ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷା ପାଇଁ ଗୁରୁବାର ବଲାଙ୍ଗୀରରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ସେପଟେ ପ୍ରବଳ ବର୍ଷା ପାଇଁ ଗୁରୁବାର ବଲାଙ୍ଗୀରରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ।ଗତ ୨୪ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ରାୟଗଡ଼ାରେ  ୨୦୫ ମିଲିମିଟର, କଳାହାଣ୍ଡି ରାମପୁରରେ ୧୯୩ ମିଲିମିଟର, ଜଗତସିଂହପୁରରେ ୧୭୭.୨ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ଘଣ୍ଟାରେ ରାଜ୍ୟରେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୧୬ଟି ସ୍ଥାନରେ ଅତିପ୍ରବଳ ବର୍ଷା ଏବଂ ୬୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।     ଗୁରୁବାର ମଧ୍ୟ କିଛି ଅଞ୍ଚଳରେ ବର୍ଷାର ପରିମାଣ ୨୦ସେଣ୍ଟିମିଟରରୁ ଅଧିକ ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। “ଅତିପ୍ରବଳ ବର୍ଷା ଫଳରେ ସେହି ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ବିଶେଷ କରି ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି। ସହରରେ ମଧ୍ୟ ରାସ୍ତାର ଦୃଶ୍ୟମାନ ଦୂରତା କମିବାର ସମ୍ଭାବନା ରହିଛି, ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇପାରେ”, କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସେପ୍ଟେମ୍ବର ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି। ଫଳରେ ଯେଉଁ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା ତାହା ଭରଣ ହୋଇଛି।

Tags: #mcbbsr #srcodisha #dmbolangir #heavyrainfall #rainfallwarning

Comment