ଭାସ୍କର ପରିଚ୍ଛା

ବିଶ୍ଵ ସାହିତ୍ୟ ଇତିହାସରେ ‘ତିରୁକ୍କୁରଲ’ର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ତାମିଲ ଭାଷାରେ ରଚିତ ଏହି ଅନବଦ୍ୟ ଗ୍ରନ୍ଥକୁ କୌଣସି ନିର୍ଦିଷ୍ଟ ଧର୍ମ, ଜାତି, ଅଞ୍ଚଳ କିମ୍ବା ସଂସ୍କୃତି ଭିତରେ ଆବଦ୍ଧ କରି ରଖାଯାଇପାରେନା।

ଏହି ବିରାଟକାୟ ଗ୍ରନ୍ଥର କୌଣସି ବି ସ୍ଥାନରେ, ପରୋକ୍ଷ ଭାବରେ ହେଉକି ପ୍ରତ୍ୟକ୍ଷ ଭାବେ ତାମିଲ ଲୋକଙ୍କ ଦ୍ଵାରା ଅଥବା ତାମିଲ ଦେଶରେ ରଚିତ ହୋଇଛି ବୋଲି କୁହାଯାଇ ନାହିଁ। ଏଥିରୁ ମୂଳ ଗ୍ରନ୍ଥ ରଚୟିତାଙ୍କ ଆଦର୍ଶ ଓ ପ୍ରତିଭାର ପରିଚୟ ମିଳେ। ସର୍ବବ୍ୟାପୀ ଏହି ଗ୍ରନ୍ଥଟି  ଜାତୀୟତା, ଭାଷା, ଧର୍ମ, ଜାତି ଓ ସଂସ୍କୃତିର ଊର୍ଦ୍ଧ୍ୱରେ। ବସ୍ତୁତଃ,ଏହା ସମଗ୍ର ମାନବ ସମାଜ ପାଇଁ ଉଦ୍ଦିଷ୍ଟ ଓ ସବୁ ମଣିଷଙ୍କ କଥା କହେ।

‘ତିରୁକ୍କୁରଲ’ ସାହିତ୍ୟ ରଚନା କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟ। ଏଥିରେ ପ୍ରତ୍ୟେକ ଭଗବାନ, ପ୍ରତ୍ୟେକଟି ମଣିଷ, ପ୍ରତ୍ୟେକଟି ପ୍ରବୃତ୍ତି, ପ୍ରତ୍ୟେକଟି ସଦଗୁଣ, ପ୍ରତ୍ୟେକଟି ଅନୁରକ୍ତି, କର୍ମ ଓ ସମ୍ପର୍କ ବିଷୟରେ କୁହାଯାଇଛି। ତିରୁକ୍କୁରଲ ଏକ ସାର୍ବଜନୀନ ସତ୍ୟ, ଜ୍ଞାନର ଏକ ମହାଦ୍ରୁମ। ଏହା କୌଣସି ବିଶେଷ ବାଦ, ତତ୍ତ୍ଵ, ଦର୍ଶନ ଓ ମୂଲ୍ୟବୋଧର ବାହକ ନୁହେଁ। ତା’ର ପରିଚୟ ନିଜସ୍ୱ ଓ ଐକାନ୍ତିକ।

ଅନ୍ୟ ଅର୍ଥରେ, ମାନବ ରଚନାଠାରୁ ତିରୁକ୍କୁରଲ ଢେର୍ ଊର୍ଦ୍ଧ୍ୱରେ ଏବଂ ଏଥିରେ ସର୍ବୋଚ୍ଚ ତତ୍ତ୍ଵ ଓ ଦର୍ଶନର ପରିପ୍ରକାଶ ଘଟିଛି। ବିଶ୍ଵ ସାହିତ୍ୟରେ ଏହା ଏକ ରୁଦ୍ଧିମନ୍ତ ପରମ୍ପରାର ବାହକ ଯେଉଁଥିରେ ରଚୟିତାଙ୍କ ସମଗ୍ର ଜ୍ଞାନ, ଶିକ୍ଷା ଓ ଜୀବନାଦର୍ଶର ପରିପ୍ରକାଶ ଘଟିଛି। ମହାନ୍ କାବ୍ୟିକ ପରମ୍ପରାର ପ୍ରତିନିଧିତ୍ୱ କରୁଥିବା ‘ତିରୁକ୍କୁରଲ୍’ ଏକ ଯୁଗାତୀତ ରଚନା।

ଆନନ୍ଦର ବିଷୟ ଯେ ଏହିଭଳି ଏକ ଅସାଧାରଣ ଗ୍ରନ୍ଥର ଓଡ଼ିଆ ଅନୁବାଦ ସମ୍ଭବ ହୋଇପାରିଛି। ତାମିଲ ଭାଷାର ଏହି ଅସାମାନ୍ୟ ସୃଷ୍ଟିକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ଦ୍ଵାରା ଏକୋଇଶିଟି ସମ୍ବିଧାନ ସ୍ଵୀକୃତ ଭାଷାରେ ଅନୁବାଦ କରିବା ପାଇଁ ଥିବା ପ୍ରସ୍ତାବର ଅଂଶ ବିଶେଷ ହେଉଛି ଓଡ଼ିଆ ରୂପାନ୍ତର। କନ୍ନଡ, ପଞ୍ଜାବୀ, ମଣିପୁରୀ, ତେଲୁଗୁ ଓ ଗୁଜରାଟୀରେ ପୂର୍ବରୁ ଏହା ଅନୁବାଦ ହୋଇଥିଲା। ଏବେ ଓଡ଼ିଆ ଅନୁବାଦ ପ୍ରକାଶ ପାଇଛି।

୪୧୬ ପୃଷ୍ଠାର ଏହି ଗ୍ରନ୍ଥକୁ ଦୁଇଟି କାରଣରୁ ଏକ ଉଲ୍ଳେଖନୀୟ କାର୍ଯ୍ୟ ବୋଲି କୁହାଯାଇପାରେ। ପ୍ରଥମ ଏହାର ଅନୁବାଦିକା ଗିରିବାଳା ମହାନ୍ତି ଖୁବ୍ ଦକ୍ଷତାର ସହିତ ଏହି କାର୍ଯ୍ୟଟି କରିଛନ୍ତି। ପ୍ରଫେସର୍ ଗିରିବାଳା ମହାନ୍ତି ଦୀର୍ଘ ବର୍ଷ ଧରି ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ, ଶାନ୍ତିନିକେତନରେ ଓଡ଼ିଆ ବିଭାଗର ପ୍ରଫେସର୍ ରହି ଆସିଥିଲେ ଓ ପ୍ରାୟ ୨୦ଟି ପୁସ୍ତକର ରଚୟିତା ସେ। ଦ୍ଵିତୀୟ, ପ୍ରଥମ ଥର ପାଇଁ ତିରୁକ୍କୁରଲର ପୂର୍ଣ୍ଣାଙ୍ଗ ଓଡ଼ିଆ ଅନୁବାଦ ହୋଇଛି। ପୂର୍ବରୁ ଅବଶ୍ୟ ଏହି ଗ୍ରନ୍ଥକୁ ଅନୁବାଦ କରିବା ପାଇଁ ଉଦ୍ୟମ ହୋଇଥିଲା। ଚିତ୍ତରଞ୍ଜନ ଦାସ, କ୍ଷୀରୋଦ ଦାସ, ବୀରକିଶୋର କର, ବିଶ୍ଵନାଥ ମିଶ୍ର ଓ ଡକ୍ଟର ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ ନିଜ ନିଜ ସାଧ୍ୟମତେ ଓ ଆଂଶିକ ଭାବେ ଏହାର ଓଡ଼ିଆ ଅନୁବାଦ କରିଥିଲେ।

ଗିରିବାଳା ମହାନ୍ତି ତାଙ୍କ ଅନୁବାଦକୀୟ ମନ୍ତବ୍ୟରେ ଯାହା ଲେଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ, କୁରଲ ତାମିଲର ସର୍ବପ୍ରଥମ ସାହିତ୍ୟ କୃତି, ଯେଉଁଥିରେ ସାହିତ୍ୟର ଆଙ୍ଗିକକୁ ତ୍ରିବିଧ ଭାବେ ବର୍ଗୀକୃତ କରାଯିବାର ଶୈଳୀ ପ୍ରବର୍ତ୍ତିତ। ଏହି ବର୍ଗୀକରଣ ବ୍ୟତୀତ ବିଷୟବସ୍ତୁ ଓ ତା’ର ଉପସ୍ଥାପନ କଳାର ବୈଶିଷ୍ଟ୍ୟ ହେତୁ ଏହା ଏକ ବିଶ୍ଵଜନୀନ ନୂତନ ଦୃଷ୍ଟିଭଙ୍ଗୀର ପ୍ରତିନିଧିତ୍ଵ କରିବା ସହ, ବିଭିନ୍ନ ପନ୍ଥାରୁ ଦର୍ଶନ ସୂତ୍ର ଖୋଜି, ନିର୍ବାଚନ କରି, ତାହାର ପ୍ରୟୋଗ ଦ୍ଵାରା ସାହିତ୍ୟରେ ଏକ ଅତୁଳନୀୟ ମହନୀୟତାର ନିଦର୍ଶନ ରଖିଯାଇଛି, ଯାହା ତାମିଲ ଇତିହାସରେ ଅଭୂତପୂର୍ବ।

ବିଷୟବସ୍ତୁର ବିସ୍ତାର-ବିନ୍ୟାସ ତଥା ଅର୍ଥବ୍ୟାପ୍ତି ଦୃଷ୍ଟିରୁ କୁରଲ ପୃଥିବୀର ଉଭୟ ପ୍ରାଚୀନ ଓ ନବୀନ ସାହିତ୍ୟ ପରମ୍ପରାରେ ଏକ ଅତୁଳନୀୟ ସୃଷ୍ଟି, ଯେଉଁଥି ପାଇଁ ତାମିଲ ସାହିତ୍ୟରେ ଏହା ଏକ କ୍ଲାସିକ ସୃଷ୍ଟିର ମର୍ଯ୍ୟାଦା ଲାଭ କରିଛି।’

ତିରୁକ୍କୁରଲ୍ କାହିଁକି ଏକ କ୍ଲାସିକ ହୋଇ ପାରିଛି ତାହାର କାରଣ ଦର୍ଶାଇବାକୁ ଯାଇ ଗିରିବାଳା ମହାନ୍ତି ପୁସ୍ତକରେ  ଅନ୍ୟତ୍ର ଲେଖିଛନ୍ତି: ‘ଏଥିରେ ବୌଦ୍ଧ, ଇସଲାମ, ଖ୍ରୀଷ୍ଠାଦି ବହୁ ଧର୍ମ ଧାରଣାର ଆଦର୍ଶ ସମୀକୃତ। ଏହା ଏକ ବିଶ୍ଵବେଦନୀୟ ସୃଷ୍ଟି। ତିରୁକ୍କୁରଲ ତିନୋଟି ପର୍ବରେ ବିଭକ୍ତ ଯଥା ନୀତିଜ୍ଞାନ, ଅର୍ଥଜ୍ଞାନ ଏବଂ କର୍ମ। ସେଇଥିପାଇଁ ଏଥିରେ ମନୁଷ୍ୟର ଆଚରଣ ଓ ମନୁଷ୍ୟ ମନୁଷ୍ୟ ସମ୍ପର୍କର ସମସ୍ତ ଦିଗକୁ ବିଚାର କରିବାର ସୁଯୋଗ ସୃଷ୍ଟି କରିଥାଏ। ‘

ଗିରିବାଳା ମହାନ୍ତିଙ୍କ ମତରେ ତିରୁକ୍କୁରଲ୍ ଏକ ଜୀବନ ସମ୍ବାଦୀ ରଚନା ହୋଇଥିବା କାରଣରୁ ଏଥିରେ ମାନବ ଜୀବନର ଅନାକାଂକ୍ଷିତ ପ୍ରକ୍ରିୟା ଗୁଡ଼ିକୁ ବିଶେଷ ଭାବରେ ସମାଲୋଚନା କରାଯାଇଛି। ଅପର ପକ୍ଷରେ ଆକାଂକ୍ଷିତ ପ୍ରକ୍ରିୟାଗୁଡ଼ିକୁ ପ୍ରଶଂସା କରାଯାଇଛି।

ତିରୁକ୍କୁରଲର କେତେକ ପଂକ୍ତିକୁ ଅନୁବାଦିକା ଅତି ସହଜରେ ଅନୁବାଦ କରିଛନ୍ତି।

ଉଦାହରଣ ସ୍ଵରୁପ:

୧. ଚାଲେ ଯିଏ ଅବିଚଳ ପୁଣ୍ୟର ପଥରେ

ଜୀବିତେ ସେ ଗଣା, ବାକି ଗଣା ମୃତକରେ।

୨. ପ୍ରେମ, ଲଜ୍ଜା, ସମଦୃଷ୍ଟି, ଔଦାର୍ଯ୍ୟ, ସତତା

ଏ ପଞ୍ଚ ସ୍ତମ୍ଭରେ ତିଷ୍ଠି ରହେ ସଜ୍ଜନତା।

୩. ବିଦୂଷକ-ଚାଟୁକାର ସହିତ ମିତ୍ରତା

ଠାରୁ ସସ୍ରଗୁଣ ଶ୍ରେୟ ଶତ୍ରୁର ଶତ୍ରୁତା।

୪. ‘ପାନ କରେନା ମୁଁ ‘କହି ମିଥ୍ୟା ଭାଷେ ଯିଏ

ମାତାଲ୍ ହେଲେ ତା’ ସବୁ ପାପ ଖୋଲିଯାଏ।

୫. ଭୂମି କର୍ଷୁଥିବା ଜନ ଭିକ୍ଷା ମାଗେ ନାହିଁ

ବରଂ ଅନ୍ୟ ଭିକ୍ଷାର୍ଥୀଙ୍କୁ ଦାନ ଦେଇ ଥାଇ।

ତିରୁକ୍କୁରଲରେ ଥିବା ତେର ଶହରୁ ଅଧିକ ପଂକ୍ତିର ଓଡ଼ିଆ ଅନୁବାଦ ଯେତିକି ହୃଦୟଗ୍ରାହୀ ସେତିକି କାବ୍ୟିକ ଶଦ୍ଦ ଚୟନ।

ଯେତିକି ପ୍ରଜ୍ଞାପୂର୍ଣ୍ଣ ସେତିକି ନାଟକୀୟତାରେ ପରିପୂର୍ଣ୍ଣ। ତିରୁକ୍କୁରଲର ଅଙ୍ଗ ଓ ଆତ୍ମାକୁ ବୁଝିବାକୁ ହେଲେ ଏହି ଗ୍ରନ୍ଥଟି ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଦୁଇ ଶାସ୍ତ୍ରୀୟ ଭାଷା ମଧ୍ୟରେ ଏହି ଆଦାନ ପ୍ରଦାନ ଭବିଷ୍ୟତରେ ଅଧିକ ରୁଦ୍ଧିମନ୍ତ ହେବା ଆଶା କରାଯାଏ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଗ୍ରଲେଖ, କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ୍ ସଂସ୍ଥାନର ନିର୍ଦେଶକ ପ୍ରଫେସର ଆର ଚନ୍ଦ୍ର ଶେଖରନଙ୍କ ଭୂମିକା ସମେତ ଏହି ଗ୍ରନ୍ଥର ଅନୁବାଦ ଏକ ସମୟ ଉପଯୋଗୀ ଉଦ୍ୟମ। ଓଡ଼ିଆ ସାହିତ୍ୟକୁ ତିରୁକ୍କୁରଲର ଆଗମନ ନିଃସନ୍ଦେହରେ ଏକ ସ୍ଵାଗତଯୋଗ୍ୟ ଘଟଣା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦ)

Tags: #Tirukkural #Odiatranslation # literature #worldliterature

LEAVE A REPLY

Please enter your comment!
Please enter your name here