ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ହକିର ଅନ୍ତୁଡ଼ିଶାଳ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଜନ୍ମ ଦେଇଛି ଅନେକ ହକି ତାରକାଙ୍କୁ। ଅନ୍ତର୍ଜାତୀୟସ୍ତରରେ ହକି ଖେଳି ସୁରନ୍ଦରଗଡ଼କୁ ଗୌରବାନ୍ଵିତ କରିଛନ୍ତି ଏହି ମାଟିର ଝିଅ ସୁଭଦ୍ରା ପ୍ରଧାନ।

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଭାରତୀୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ। ଭାରତୀୟ ହକି ଜଗତର ଅନେକ ତାରକା ଏହି  ଜିଲ୍ଲାର ହୋଇଥିବାରୁ ସୁନ୍ଦରଗଡ଼କୁ ମିଳିଛି ସ୍ଵତନ୍ତ୍ର ଏହି ପରିଚୟ। ଭାରତୀୟ ହକିରେ ସ୍ଵତନ୍ତ୍ର ଅବଦାନ ରଖିଥିବା ଓଡ଼ିଶା ମାଟିର ସେହିପରି ଜଣେ ଝିଅ ହେଉଛନ୍ତି ସୁଭଦ୍ରା ପ୍ରଧାନ।

ହକି ପ୍ରତି ତାଙ୍କର ଥିବା ଅବଦାନ ପାଇଁ ୨୦୦୬ ମସିହାରେ ସେ ଏକଲବ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ତେବେ କେମିତି ଥିଲା ସୁଭ୍ରଦା ପ୍ରଧାନଙ୍କ  ପ୍ରାରମ୍ଭିକ ଜୀବନ ଓ କିପରି ସେ ହକି ସହ ଯୋଡ଼ି ହୋଇଥିଲେ ତାହା ଅନେକ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି।

୧୯୮୬ ମସିହା ଜୁନ୍ ୫ରେ ସୁଭଦ୍ରା ପ୍ରଧାନଙ୍କ ଜନ୍ମ। ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ଏକ ଛୋଟ ଗାଁ ସୌନାମରାର ଏକ ସାଧାରଣ ଆଦିବାସୀ ପରିବାରରୁ ଅର୍ନ୍ତଜାତୀୟ ସ୍ତରରେ ହକି କ୍ରୀଡ଼ାବିତ ଭାବେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବିର୍ସାମୁଣ୍ଡା ସ୍କୁଲରେ ସେ ପାଠ ପଢ଼ିବା ପରେ ପଞ୍ଜାବର ପଟିଆଲାସ୍ଥିତ ଖାଲସା କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଦକ୍ଷିଣ-ପୂର୍ବ ରେଳବାଇରେ କାର୍ଯ୍ୟରତ ପ୍ରଦୀପ ନାଏକଙ୍କୁ ସୁଭଦ୍ରା ପ୍ରଧାନ ବିବାହ କରିଥିଲେ। ପ୍ରଦୀପ ବର୍ତ୍ତମାନ ରାଞ୍ଚି ରେଳବାଇରେ କାର୍ଯ୍ୟରତ।

 

ସୁଭଦ୍ରାଙ୍କ ହକି ଜୀବନ

ରାଉରକେଲାସ୍ଥିତ ପାନପୋଷ ହକି ହଷ୍ଟେଲରୁ ହକି ସହ ଯୋଡ଼ି ହୋଇଥିଲେ ସୁଭଦ୍ରା। ୧୯୯୭ରେ ସେ ହକିରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ ମସିହାରେ ସେ ଭାରତୀୟ ଜୁନିଅର ହକି ଟିମରେ ସ୍ଥାନ ପାଇଥିଲେ। ୨୦୦୪ରେ ଆୟୋଜିତ ଜୁନିଅର ଏସିଆ କପରେ ସୁଭଦ୍ରା ପ୍ରଧାନ ଜୁନିଅର୍ ହକି ଟିମର ପ୍ରତିନିଧିତ୍ଵ କରିଥିବାବେଳେ ଦଳ ତୃତୀୟ ସ୍ଥାନ ହାସଲ କରିପାରିଥିଲା।

ତେବେ ୨୦୦୩ରେ ସେ ସିନିଅର ଟିମରେ ସ୍ଥାନ ପାଇଥିଲେ। ୨୦୦୪ ମସିହାରେ ଏସିଆ କପରେ ସ୍ଵର୍ଣ୍ଣପଦକ ଏବଂ ୨୦୦୬ରେ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ରୋପ୍ୟ ପଦକ ହାସଲ କରିଥିଲା ଭାରତୀୟ ସିନିଅର ମହିଳା ହକି ଟିମ୍। ସୁଭଦ୍ରା ପ୍ରଧାନଙ୍କ ଏଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା।

୨୦୦୭ ମସିହାରେ ସୁଭଦ୍ରା ପ୍ରଧାନ ଜସଜିତ କୌରଙ୍କ ସହ ୟୁରୋପୀୟ କ୍ଲବରେ ଖେଳିଥିବା ପ୍ରଥମ ଭାରତୀୟ ମହିଳା ଥିଲେ। ୨୦୦୭ରେ ସେ ଡଚ୍ କ୍ଲବ୍ ଏଚସି ଡେନ୍ ବସପାଇଁ ଖେଳି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହାସଲ କରିଥିଲେ। ୨୦୦୯ରେ ଖେଳାଯାଇଥିବା ଏସିଆ କପରେ ଭାରତ ଦ୍ଵିତୀୟ ସ୍ଥାନ ଅଧିକାର କରିବାରେ ସୁଭଦ୍ରା ପ୍ରଧାନଙ୍କ ଭୂମିକା ରହିଥିଲା। ୨୦୦୬ରେ ତାଙ୍କୁ ଭାରତୀୟ ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

Tags: #SubhadraPradhan #IndianHockeyStar #Sundergarh #Hockey #Sports

Comment