ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଥିବା ଓଡ଼ିଶାର ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଭୟଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ।
“ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅମିତ ରୋହିଦାସ ଏବଂ କିଶୋର ଜେନା ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି। ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅଲିମ୍ପିକ୍ସ ପାଇଁ ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି।
ଫ୍ରାନ୍ସର ରାଜଧାନୀ ପ୍ୟାରିସ ଅନୁଷ୍ଠିତ ହେବାକୁ ଯାଉଛି ଅଲିମ୍ପକ୍ସ ୨୦୨୪। ଜୁଲାଇ ୨୬ ତାରିଖରୁ ଅଗଷ୍ଟ ୧୧ ତାରିଖ ଯାଏଁ ଏହି ମେଗା ପ୍ରତିଯୋଗିତାର ୩୩ତମ ସଂସ୍କରଣ ଚାଲିବ। ଏଥିରେ ଭାରତରୁ ମୋଟ ୧୧୩ ଜଣ ଖେଳାଳି ଅଂଶଗ୍ରହଣ କରିବେ।
Tags: #Olympics2024 #AmitRohidas #KishoreJene #OdiaPlayers #Sports #Odisha #India