ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଚାନ୍ଦିପୁରରେ ଆରମ୍ଭ ହୋଇଛି ନୀଳ ରକ୍ତ କଙ୍କଡ଼ା (ହର୍ସ ସୁ କ୍ରାବ) ସଂରକ୍ଷଣ ଅଭିଯାନ ‘ଲିମୁଲସ୍ ପଲିଫେମସ୍’। ମଙ୍ଗଳବାର ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ୟୁଥ୍ ଫର ୱାଟର ପ୍ଲସର ୟୁଥ୍ ଲିଡର୍ସ କାଉନସିଲ୍ ପକ୍ଷରୁ ଏହି ଅଭିଯାନର ଆୟୋଜନ କରାଯାଇଛି।

ବିଲୁପ୍ତପ୍ରାୟ ନୀଳ ରକ୍ତ କଙ୍କଡ଼ାଙ୍କ ସଂରକ୍ଷଣ ପାଇଁ ଏକ ସୁରକ୍ଷା ଇକୋସିଷ୍ଟମ ଗଢ଼ିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି। ବାଲେଶ୍ଵର ଉପକୂଳ ଉକ୍ତ ପ୍ରଜାତିର କଙ୍କଡ଼ାମାନଙ୍କର ସର୍ବ ବୃହତ ପ୍ରଜନନ ସ୍ଥଳ ହୋଇଥିବାରୁ ଏହାକୁ ସୁରକ୍ଷା କରିବା ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅଭିଯାନରେ ସଚେତନତା ସୃଷ୍ଟି କରାଯିବ।

‘ଲିମୁଲସ୍ ପଲିଫେମସ୍’ ଅଭିଯାନର ଉଦଘାଟନ ଅବସରରେ ଅଭିଯାନର ଲୋଗୋ, ଫ୍ୟାକ୍ଟ ସିଟ୍ ଓ ନୀଳ ରକ୍ତ କଙ୍କଡ଼ା ସୁରକ୍ଷା ହଟସ୍ପଟ୍ ମାନଚିତ୍ରର ଉନ୍ମୋଚନ ହୋଇଥିଲା। ଏହାସହ କାର୍ଯ୍ୟକ୍ରମରେ ୪୦ ଜଣ ଯୁବକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ନୀଳ ରକ୍ତ କଙ୍କଡ଼ା ଏବଂ ସେମାନଙ୍କ ବାସସ୍ଥାନର ସୁରକ୍ଷା ପାଇଁ ଶପଥ ନେଇଥିଲେ।

“ବିଲୁପ୍ତ ପ୍ରଜାତିର ନୀଳ ରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ। ସେମାନଙ୍କ ସୁରକ୍ଷା ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଆମ ପ୍ରୟାସକୁ ସଫଳ କରିବ। ୟୁଥ୍ ଫର ୱାଟର ପ୍ଲସର ୟୁଥ୍ ଲିଡର୍ସ କାଉନସିଲ୍ ଏଭଳି ଏକ ଅଭିଯାନ ଆରମ୍ଭ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଆଗକୁ ବାଲେଶ୍ଵରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀଳ ରକ୍ତ କଙ୍କଡ଼ା ସୁରକ୍ଷା କମିଟି ଗଠନ କରାଯିବ”, କହିଛନ୍ତି ଦତ୍ତାତ୍ରେୟ ଭାଉସାହେବ୍ ଶିନ୍ଦେ।

“ଓଡିଶା ପ୍ରକୃତରେ ଆଶୀର୍ବାଦପ୍ରାପ୍ତ। ଏଠାରେ ବିକାଶ ସହିତ ପରିବେଶର ସୁରକ୍ଷାକୁ ମଧ୍ୟ ସେତିକି ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ ଅନେକ ଯୋଜନା ଓ ଅଭିଯାନ ମଧ୍ୟ କାର୍ଯ୍ୟକାରୀ ହୋଇଛି। ନୀଳ ରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଅଭିଯାନ ଆରମ୍ଭ କରିଥିବାରୁ ମୁଁ ଆମ ଲିଡର୍ସ ପରିଷଦର ସବୁ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ୟୁଥ୍ ଫର ୱାଟର ପ୍ଲସର କାର୍ଯ୍ୟକ୍ରମ ନିର୍ଦେଶକ ଜ୍ୟୋତି ଶର୍ମା।

ଅଭିଯାନର ଉଦଘାଟନ ପରେ ୟୁଥ୍ ଫର ୱାଟର ପ୍ଲସର ସଦସ୍ୟମାନେ ଚାନ୍ଦିପୁର ବେଳାଭୂମିରେ ସ୍ଵଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ବେଳାଭୂମିରୁ ପ୍ଲାଷ୍ଟିକ ଓ ଅନ୍ୟ ଅଳିଆ ଆବର୍ଜନା ସଫା କରାଯାଇଥିଲା। ଏହାସହ ସଦସ୍ୟମାନେ ନୀଳ ରକ୍ତ କଙ୍କଡ଼ାଙ୍କ ସଂରକ୍ଷଣ ବାବଦରେ ଲୋକମାନଙ୍କୁ ସଚେତନ କରିଥିଲେ।

‘ଲିମୁଲସ୍ ପଲିଫେମସ୍’ ଅଭିଯାନର ଉଦଘାଟନ କାର୍ଯ୍ୟକ୍ରମରେ ଚାନ୍ଦିପୁରର ବନ୍ୟାପ୍ରାଣୀ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା, ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ପ୍ରଫେସର ମନୋରଞ୍ଜନ ମିଶ୍ର, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଭାସ୍କର ବେହେରା ଏବଂ ୟୁଥ୍ ଲିଡର୍ସ ପରିଷଦର ସଦସ୍ୟ ଡକ୍ଟର ବିଶ୍ଵଜିତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Tags: #YouthforWaterPlus #HorseshoeCrabConservation #LimulusPolyphemus #YouthLeadersCouncil #Balasore

Comment