ଓଡ଼ିଶାଲାଇଭ୍ ବ୍ୟୁରୋ

ଡେଙ୍ଗୁ ପରେ ଏବେ ରାଜ୍ୟରେ ଦେଖାଦେଇଛି ସ୍କ୍ରବ ଟାଇଫସ୍ ଆତଙ୍କ। ଦିନକୁ ଦିନ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତାରେ ରହିଛନ୍ତି ରାଜ୍ୟବାସୀ। ସ୍କ୍ରବ ଟାଇଫସର ସ୍ଥିତି ସମୀକ୍ଷା କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସ୍ଵାସ୍ଥ୍ୟ ବିଭାଗର ୪ ଜଣିଆ ଟିମ। ଏହା ପୂର୍ବରୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୬ ଜଣିଆ ଅଧିକାରୀ ସୁନ୍ଦରଗଡ଼ରେ ରହିଛନ୍ତି।

ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ ଅଧିକାରୀଙ୍କ ବୈଠକ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଆଉ ୨୦ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଶୁକ୍ରବାର ଦିନ ୯ ଜଣ ନୂଆ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପୂର୍ବରୁ ଗୁରୁବାର ଦିନ ୧୩ ଜଣ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଗତ କିଛି ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି।

ସ୍କ୍ରବ୍ ଟାଇଫସରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧରଣୀ ରଞ୍ଜନ ଶତପଥୀ। ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପରିମାଣରେ ଔଷଧ ରହିଛି। ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ରହିଛି। ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି।

ଡାକବାଜି ଏବଂ ପାଲା ମାଧ୍ୟମରେ ଗାଁକୁ ଗାଁ ବୁଲି ସ୍କ୍ରବ୍ ଟାଇଫସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ମେଡିକାଲ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

OdishaLIVE

OdishaLIVE

Comment