ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): “ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ଵାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ”, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ସଦ୍ୟତମ ପୁସ୍ତକ ‘ଟେଲ୍ସ ଫ୍ରମ୍ ଦ ଲ୍ୟାଣ୍ଡ୍ ଅଫ୍ ଜଗନ୍ନାଥ’ ଓ ଏହାର ଓଡ଼ିଆ ଅନୁବାଦ ‘ଜଗନ୍ନାଥ ଦେଶର କଥା’ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମାର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷକ ଆର୍ ବାଲାକ୍ରିଷ୍ଣନ।
ସେ ଆହୁରି କହିଥିଲେ ଯେ, ସମସ୍ତ ମନ୍ଦିରରେ ଥରେ ପ୍ରତିଷ୍ଠା ପାଇବା ପରେ ଦେବ ବିଗ୍ରହଙ୍କର ନିର୍ମାତା-ମହାରଣାଙ୍କ ସହ ସମ୍ପର୍କ ସରିଯାଏ। କିନ୍ତୁ ଜଗନ୍ନାଥ ଏକମାତ୍ର ବିଗ୍ରହ ଯିଏ ନିତ୍ୟ ସଂଚରଣଶୀଳ। ତାଙ୍କୁ ବାରମ୍ବାର ଗଢ଼ାଯାଏ, ସେ ବାରମ୍ବାର ଯାତ୍ରା କରନ୍ତି। ଏହା ଦ୍ଵାରା ସବୁ ଗୋଷ୍ଠୀ ସହ ସେ ନିରନ୍ତର ସମ୍ପର୍କରେ ଥାଆନ୍ତି।
ଆର୍ ବାଲାକ୍ରିଷ୍ଣନ କହିଥେଲେ, “ସଂସ୍କୃତିକୁ ଦୁଇଟି ଦୃଷ୍ଟିକୋଣରୁ ଦେଖିହୁଏଏ ଗୋଟିଏ ଭିତରେ ରହି ଓ ଗୋଟିଏ ବାହାରୁ। ସେ ଦୃଷ୍ଟିରୁ ମୁଁ ଏବଂ ଦେବଦତ୍ତ ଗୋଟିଏ ଗୋଷ୍ଠୀର। ଆମେ ଉଭୟେ ନିଜ ନିଜ ଜନ୍ମଭୂମିଠାରୁ ଦୂରରେ ରହି ନିଜ ସଂସ୍କୃତିକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛୁ ଓ ଅଧିକ ଜିଜ୍ଞାସୁ ହୋଇଛୁ।”
ରାଜ୍ୟର ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଦିନ ଆୟୋଜିତ ଏହି ଉତ୍ସବରେ ଦେବଦତ୍ତ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, “ମୁଁ ଓଡ଼ିଶା ବାହାରେ ଜନ୍ମ ହୋଇଛି ଓ ବଢ଼ିଛି। ସବୁବେଳେ ଆମ ଓଡ଼ିଆ ପରିଚୟର ଭିତ୍ତି ହେଉଛନ୍ତି ଶ୍ରୀ ଜଗନ୍ନାଥ।”
ରାମାୟଣର ଶବରୀ ଉପାଖ୍ୟାନ ବିଶ୍ଵକୁ ଓଡ଼ିଶାର ଅବଦାନ। ସର୍ବପ୍ରଥମେ ଦାଣ୍ଡି ରାମାୟଣରେ ମହାପୁରୁଷ ବଳରାମ ଦାସ ଶବରୀ ଅଇଁଠା କଥା ଲେଖିଥିବା ଦେବଦତ୍ତ ପଟ୍ଟନାୟକ କହିଥିଲେ। ସେ କହିଥିଲେ ସନ୍ଥ ପଦ୍ମସମ୍ଭବ ଓଡ଼ିଶାରୁ ତିବ୍ବତ ଯାଇ ବୌଦ୍ଧ ଧର୍ମର ପ୍ରଚାର କରିଥିବା ସେ କହିଥିଲେ।
କାର୍ଯକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପୁରୀକୁ ତୀର୍ଥଯାତ୍ରା ନେଇ ନିଜ ଗବେଷଣା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବହିର ଅନୁବାଦକ ତପନ କୁମାର ପଣ୍ଡା କହିଥିଲେ, ଉଭୟ ଓଡ଼ିଆ ଓ ଅଣଓଡ଼ିଆଙ୍କ ପାଇଁ ଦେବଦତ୍ତ ପଟ୍ଟନାୟକଙ୍କ ଏହି ବହି ଗୁରୁତ୍ଵପୂର୍ଣ୍ଣ ଥିବାରୁ ସେ ଏହାର ଅନୁବାଦ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପୁସ୍ତକ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିବାବେଳେ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବରେ ବହୁ ସଂଖ୍ୟାରେ ଲେଖକ, ପ୍ରଶାସକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Tags: #DevaduttPatnaik #Writer #BookRelease #talesfromthelandofJagannath #Bhubaneswar #Odisha