ଓଡ଼ିଶାଲାଇଭ୍ ବ୍ୟୁରୋ

ମ୍ୟାଲେରିଆ ନିରାକରଣ ପାଇଁ ଭାରତର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ଟିକାକୁ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ମଞ୍ଜୁରୀ ମିଳିଛି। ‘ଆର୍ ୨୧/ ମାଟ୍ରିକ୍ସ ଏମ’ ନାମକ ଏହି ନୂଆ ଟିକାକୁ ସିରମ ଇନଷ୍ଟିଚ୍ୟୁଟ ଓ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ମିଳିତ ଭାବେ ବିକାଶ କରିଛନ୍ତି। ଏହା ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ଆହୁରି ପ୍ରଭାବଶାଳୀ କରିବ। ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ‘ଆର୍ ୨୧/ ମାଟ୍ରିକ୍ସ ଏମ’ ଟିକା ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାରେ ବିଶ୍ୱର ଦ୍ୱିତୀୟ ଟିକା। ଏହା ୨୦୨୪ ମସିହା ଜୁନ ମାସ ବେଳକୁ ବିଭିନ୍ନ ଦେଶରେ ଉପଲବ୍ଧ ହେବ।

“ମ୍ୟାଲେରିଆ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଆସୁଛି। ମ୍ୟାଲେରିଆ ମୁକାବିଲାକୁ ଏହି ଟିକା ଆହୁରି ବ୍ୟାପକ କରିବ। ଡବ୍ଲୁଏଚଓ ପକ୍ଷରୁ ଟିକାକୁ ଅନୁମୋଦନ ମିଳିବା ଏହାର ପ୍ରି-କ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲର ତଥ୍ୟ ଉପରେ ଆଧାରିତ। ଯାହା ମ୍ୟାଲେରିଆ ଜନିତ ମୃତ୍ୟୁକୁ ରୋକିବାରେ ସଫଳ ହେବ”, କହିଛନ୍ତି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା।

ମ୍ୟାଲେରିଆ ଆକ୍ରାନ୍ତ ଏହି ନୂଆ ଟିକାର ୩ଟି ଡୋଜ ନେବେ। ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୨ ରୁ ୪ ଡଲାର ବା ୧୬୦-୩୨୦ ଟଙ୍କା ରହିବ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି।

ଏବେ ଏହି ଟିକାର ବହୁଳ ଉତ୍ପାଦନ ପାଇଁ ସିରମ ଇନଷ୍ଟିଚ୍ୟୁଟକୁ ଲାଇସେନ୍ସ ମିଳିଛି। କମ୍ପାନି ଏହି ଟିକାର ବାର୍ଷିକ ୧୦ କୋଟି ଡୋଜ ଉତ୍ପାଦନ କରିବାର କ୍ଷମତା ହାସଲ କରିଛି। ଆଗକୁ ଟିକା ଉତ୍ପାଦନ କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛି ସିରମ ଇନଷ୍ଟିଚ୍ୟୁଟ।

Tags: #MalariaVaccine #SerumInstituteofIndia #OxfordUniversity #WHOApproval #Malaria #Health

LEAVE A REPLY

Please enter your comment!
Please enter your name here