ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନରେ ଚମକିଲା ଭାରତ ସ୍ୱର୍ଣ୍ଣ ସହ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ, ଶୁଭେଚ୍ଛା ଜଣାଇଲେ ହକି ଇଣ୍ଡିଆ ସଭାପତି।

ଚୀନରେ ଚମକିଲା ଭାରତୀୟ ପୁରୁଷ ହକି ଦଳ। ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ଏଥିସହ ପ୍ୟାରିସ ଅଲିମ୍ପିକ୍ସ ଟିକେଟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ।     

ଏହି ସଫଳତା ପରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ। ଗତଥର ବ୍ରୋଞ୍ଜ ପାଇଥିଲୁ, ଏଥର ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛୁ ବୋଲି ସେ କହିଛନ୍ତି।

“ଲିଗ ମ୍ୟାଚ ଠାରୁ ଆରମ୍ଭ କରି ସେମିଫାଇନାଲ ଓ ଫାଇନାଲରେ ପ୍ରତି ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ବହୁତ ବର୍ଷର ଫଳ ମିଳିଛି, ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛୁ। ସବୁଠୁ ବଡ଼ କଥା ହେଲା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି। ଫାଇନାଲରେ ବି ସେ ଗୋଲ ସ୍କୋର କରିଛନ୍ତି। ପ୍ରତ୍ୟେକ ଖେଳାଳି, କୋଚ, ସପୋର୍ଟିଂ ଷ୍ଟାଫଙ୍କୁ ଶୁଭେଚ୍ଛା ଜଣାଉଛି”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

ଅନ୍ୟପଟେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ହକି ଇଣ୍ଡିଆ। ପ୍ରତି ଖେଳାଳିଙ୍କୁ ୫ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ୧୯୬୬, ୧୯୯୮ ଓ ୨୦୧୪ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହାବ୍ୟତୀତ ଭାରତୀୟ ଦଳ ୯ ଥର ‌‌ରୌପ୍ୟ ଓ ୩ ଥର କାଂସ୍ୟ ପଦକ ଜିତିଥିଲା।

Tags: #AsianGames #Hockey #IndiavsJapan #GoldMedal #Sports #HockeyIndia #DilipTirkey  

LEAVE A REPLY

Please enter your comment!
Please enter your name here