ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଆରମ୍ଭ କରିବ। ଏଠାରୁ ନଭେମ୍ବର ମାସରେ କୋଲକାତା ଓ ବେଙ୍ଗାଳୁରୁକୁ ଇଣ୍ଡିଗୋର ଦୈନିକ ବିମାନ ଚଳାଚଳ ହେବ। ଏନେଇ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଇଣ୍ଡିଗୋ ନଭେମ୍ବର ୫ ତାରିଖରେ ଝାରସୁଗୁଡ଼ାରୁ କୋଲକାତାକୁ ବିମାନସେବା ଆରମ୍ଭ କରିବ। ସେହିପରି ଏଠାରୁ ନଭେମ୍ବର ୧୫ ତାରିଖରେ ବେଙ୍ଗାଳୁରୁକୁ ବିମାନ ଚଳାଚଳ କରିବ। ଏଥିପାଇଁ ଗୁରୁବାରଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି।

ଝାରସୁଗୁଡ଼ା-କୋଲକାତା ବିମାନଟି ପ୍ରତିଦିନ କୋଲକାତାରୁ ଅପରାହ୍ଣ ୫ଟା ୫୦ରେ ବାହାରି ସନ୍ଧ୍ୟା ୭ଟା ୨୫ରେ ଝାରସୁଗୁଡ଼ାରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ରେ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ।

ଅନ୍ୟପଟେ ଝାରସୁଗୁଡ଼ା-ବେଙ୍ଗାଳୁରୁ ବିମାନଟି ପ୍ରତିଦିନ ସକାଳ ୧୦ଟା ୧୫ରେ ବେଙ୍ଗାଳୁରୁରୁ ବାହାରି ଅପରାହ୍ଣ ୧୨ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାପରେ ଝାରସୁଗୁଡ଼ାରୁ ୧୨ଟା ୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଳୁରୁରେ ପହଞ୍ଚିବ।

ଝାରସୁଗୁଡ଼ା ବିମାନବନ୍ଦରରୁ ଏବେ ସ୍ପାଇସଜେଟ ଏୟାରଲାଇନ୍ସ ନୂଆଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନସେବା ଯୋଗାଉଛି। ସେହିପରି ଆଲାଏନ୍ସ ଏୟାର ଭୁବନେଶ୍ଵର ଓ କୋଲକାତାକୁ ଏଠାରୁ ବିମାନ ଚଳାଚଳ କରୁଛି।

Tags: #JharsugudaAirport #IndigoAirlines #DailyFlightServices #Kolkata #Bengaluru

Comment