ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଋତୁ ଆସିଲେ ଭୁବନେଶ୍ଵରରେ ବଢ଼ିଯାଏ ଅପରାଧୀଙ୍କ ଦୌରାତ୍ମ୍ୟ। ଏବେ ପ୍ରତଦିନ ଚୋରି, ଡକାୟତି ଘଟଣା ସାମ୍ନାକୁ ଆସୁଥିବାରୁ ପୋଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜଧାନୀରେ ଅପରାଧୀଙ୍କୁ ଦମନ କରିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରଟ ପୋଲିସ।

ଆଗକୁ ଦୁର୍ଗାପୂଜା ଥିବାରୁ ଏହି ସମୟରେ ଚୋରି, ଲୁଟ ଏବଂ ଡକାୟତି ଭଳି ଅପରାଧ ବଢ଼ିବାର ଅଧିକ ସମ୍ଭାବନା ରହିଛି। ପୂଜା ବୁଲିବାକୁ ଯିବା ସମୟରେ ଲୋକଙ୍କ ଘରୁ ଚୋରି ହେବା ଭୟ ମଧ୍ୟ ରହିଛି। ଏହାକୁ ରୋକିବା ଲାଗି କମିଶନରେଟ ପୋଲିସ ପ୍ରସ୍ତୁତ ରହିଥିବା କହିଛନ୍ତି ଭୁବନେଶ୍ଵର ଜୋନ-୨ ଏସିପି ଗିରିଜା ଚକ୍ରବର୍ତ୍ତୀ। ପାର୍ବଣ ସମୟରେ ରାଜଧାନୀର ଗଳିଗନ୍ଦିରେ ରାତି ତମାମ ପୋଲିସ ପେଟ୍ରୋଲିଂ କରାଯିବ ବୋଲି ସେ କହିଛନ୍ତି।

ପୂଜା ପେଣ୍ଡାଲକୁ ବୁଲିବାକୁ ଯିବା ସମୟରେ ଭଲ ଭାବେ ଘର ତାଲା ପକାଇବା ସହ ପୋଲିସକୁ ସୂଚନା ଦେଇଯିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ପଡ଼ୋଶୀଙ୍କୁ ଅବଗତ କରିବାକୁ କୁହାଯାଇଛି। ଏବେଠାରୁ ରାଜଧାନୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରକୁ ନାକାବନ୍ଦୀ କରାଯାଉଛି। ଏହା ସହିତ ପୂଜା ପେଣ୍ଡାଲ ବୁଲିଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ରହିଛି।  

Tags: #Durgapuja #festival #Policeprotection #crime

Comment