ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ଜନହିତ ଯୋଜନା ପ୍ରସ୍ତୁତ କରିବାରେ ସମଗ୍ର ଦେଶରେ ଓଡ଼ିଶାର ଏକ ଭିନ୍ନ ପରିଚୟ ରହିଛି। ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ପ୍ରଶଂସନୀୟ ହୋଇଆସିଛି। ଏପରିକି ଅନ୍ୟ ରାଜ୍ୟର ସରକାରମାନେ ଏହି ସବୁ କାର୍ଯ୍ୟକ୍ରମକୁ ନିଜ ରାଜ୍ୟରେ ପ୍ରଚଳନ ମଧ୍ୟ କରିଛନ୍ତି।

ସେହି କ୍ରମରେ ଓଡ଼ିଶାର ଏକ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଅନୁସରଣ କରିଥିଲେ କେନ୍ଦ୍ର ସରକାର। ବିଜୁ ସ୍ୱାସ୍ଥ୍ୟ କାର୍ଡ ଢାଞ୍ଚାରେ ଏବେ କେନ୍ଦ୍ର ସରକାର ହେଲଥ କାର୍ଡ ଉପଲବ୍ଧ କରାଉଛନ୍ତି। ଓଡ଼ିଶାରେ ବିଜୁ ସ୍ମାର୍ଟ କାର୍ଡ କେବଳ ଲୋକପ୍ରିୟ ହୋଇଛି ତାହା ନୁହେଁ ଏହାକୁ ଏକ ଗେମ୍ ଚେଞ୍ଜର ଭାବରେ ବିବେଚନା କରାଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ଶୁଭାରମ୍ଭ କରିବା ସହ ତା’ର ଆବଣ୍ଟନ ମଧ୍ୟ କରିଥିଲେ। ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ରର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ରକମର ଚିକିତ୍ସା ସୁବିଧା ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକାର ସୁବିଧାକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଏକ ଅନୁସରଣ ମୂଳକ ପଦକ୍ଷେପ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଏବେ ଗାଁ ଗାଁରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ସରକାରୀ ମେଡିକାଲ ସହିତ ରାଜ୍ୟ ଓ ରାଜ୍ୟ ବାହାରେ ୫୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ହିତାଧିକାରୀ ସିଧାସଳଖ ମାଗଣା ଚିକିତ୍ସା ସୁବିଧା ପାଇପାରୁଥିବା ବେଳେ ଆୟୁଷ୍ମାନ ଯୋଜନା ହେଲଥ କାର୍ଡ ବୀମାଭୁକ୍ତ ହୋଇଥିବାରୁ ଚିକିତ୍ସା ପାଇବା ବୀମା କେବଳ କମ୍ପାନିଙ୍କ ଉପରେ ନିର୍ଭର କରୁଛି। ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ମୁଖ୍ୟମନ୍ତ୍ରୀ ବାଣ୍ଟିବା ସମୟରେ ଲୋକଙ୍କୁ ଉଦବୋଧନ ଦେବାକୁ ଯାଇ କହିଥିଲେ, “ଚିକିତ୍ସା ପାଇଁ ଲୋକଙ୍କୁ ଆଉ ଘର ଜମି ବିକିବାକୁ ପଡ଼ିବନାହିଁ।” ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ଏବେ ବିପଦର ବନ୍ଧୁ ପାଲଟିଛି।

Tags: #bsky #bijuswasthyakalyanyojana #GovtOfOdisha #CMOdisha #Healthcare #freetreatment

Comment