ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୧୨ଟି ନୂଆ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ରାଜ୍ୟରେ ୨,୭୯୪ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ମଙ୍ଗଳବାର ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କର୍ତ୍ତୃପକ୍ଷଙ୍କ ବୈଠକରେ ପ୍ରକଳ୍ପଗୁଡ଼ିକୁ ଅନୁମତି ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଏହି ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇସ୍ପାତ, ଆଲୁମିନିୟମ, ସାର, ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରର ପ୍ରକଳ୍ପ ସାମିଲ ରହିଛି। ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ଼, ଜଗତସିଂହପୁର, ପୁରୀ, ଝାରସୁଗୁଡ଼ା ଓ ଯାଜପୁର ଜିଲ୍ଲାରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିରୁ ପ୍ରାୟ ୪ ହଜାର ୫୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ସବୁଠୁ ବଡ଼ ପ୍ରକଳ୍ପ ଭାବେ ସମ୍ବଲପୁରର ରେଙ୍ଗାଲିରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଏକ ଆଲୁମିନିୟମ୍ ବ୍ୟାଟେରି ଫଏଲ୍‌ କାରଖାନା ରହିଛି। କମ୍ପାନି ୮୩୪ କୋଟି ଟଙ୍କା ବିନିଯୋଗ କରି ଏହି ପ୍ଲାଣ୍ଟ ନିର୍ମାଣ କରିବ।

ସେହିପରି ଯାଜପୁରର କଳିଙ୍ଗନଗରରେ ନିଉ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ୍‌ ପାୱାର ପ୍ରାଇଭେଟ୍ ଲିମିଟେଡର ଏକ ୦.୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ରୋଲିଂ କାରଖାନାକୁ ମଞ୍ଜୁରୀ ମିଳିଛି। ଏଥିରେ କମ୍ପାନି ୫୪୭ କୋଟି ଟଙ୍କା ନିବେଶ କରିବ। ଏହାଛଡ଼ା ଅଭିରଭ ଇଣ୍ଡଷ୍ଟ୍ରିଜ୍‌ ସୁନ୍ଦରଗଡ଼ରେ ୨୩୧.୮୧ କୋଟି ଟଙ୍କା ନିବେଶରେ ଏକ ଲୁହାପଥର ବେନିଫିକେସନ ଓ ପେଲେଟ୍ କାରଖାନା ସ୍ଥାପନ କରିବାକୁ ମଞ୍ଜୁରୀ ମିଳିଛି।

ଅନ୍ୟପଟେ ଖୋର୍ଦ୍ଧାରେ ଆରଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ୫୧୦.୮୦ କୋଟି ଟଙ୍କା ବିନିଯୋଗରେ ଏକ ସିଲିକନ କାର୍ବାଇଡ୍‌ ଡିଭାଇସ୍‌ ଓ ମଡ୍ୟୁଲ୍‌ ପ୍ଲାଣ୍ଟ ନିର୍ମାଣ କରିବ। ଏହାଛଡ଼ା ନୁଭୋ ଏଅନ୍ ଡାଇମଣ୍ଡ ଆଣ୍ଡ୍‌ ଜୁଏଲାରି ଖୋର୍ଦ୍ଧାରେ ୨୫୬.୫୦ କୋଟି ଟଙ୍କା ନିବେଶରେ ଲ୍ୟାବ ନିର୍ମିତ ହୀରା କାରଖାନା ପ୍ରତିଷ୍ଠା କରିବାକୁ ମଞ୍ଜୁରୀ ଦିଆଯାଇଛି।

ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଉତ୍କଳ ଫସଫେଟ୍‌ସ ଏକ ସାର କାରଖାନା ସ୍ଥାପନ କରିବ। ଏଥିରେ ୬୨.୦୭ କୋଟି ଟଙ୍କା ନିବେଶ ହେବ। ସେହିପରି ଝାରସୁଗୁଡ଼ାରେ ମେ’ ଫେୟାର ହୋଟେଲ ଆଣ୍ଡ୍‌ ରିସୋର୍ଟସ୍‌ ୭୩ କୋଟି ଟଙ୍କା ବିନିଯୋଗ କରି ଏକ ହୋଟେଲ ନିର୍ମାଣ କରିବାକୁ ମଞ୍ଜୁରୀ ମିଳିଛି।

ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଫୋରଷ୍ଟାର୍‌ ମେଟାଲିକ୍ସ ଓ ଖେଡାରିଆ ଇସ୍ପାତ ପକ୍ଷରୁ ସୁନ୍ଦରଗଡ଼ରେ ଯଥାକ୍ରମେ ୬୩.୦୫ କୋଟି ଓ ୫୬ କୋଟଇ ଟଙ୍କା ନିବେଶ କରି ଏମଏସ୍‌ ପାଇପ୍ କାରଖାନାକୁ ମଞ୍ଜୁରୀ ମିଳିଛି। ସେହିପରି ଖୋର୍ଦ୍ଧାରେ ନାରାୟଣୀ ଗ୍ରିନ୍ ପ୍ୟାକ୍ ୫୦.୮୪ କୋଟି ଟଙ୍କା ନିବେଶରେ ଏକ ପେପର ଓ ପେପର ବୋର୍ଡ କଣ୍ଟେନର ଉତ୍ପାଦନ କାରଖାନା ବସାଇବ।

Tags: #Industries #Investment #Employment #SWCAOdisha #InvestOdisha

Comment