ଓଡ଼ିଶାଲାଇଭ୍ ବ୍ୟୁରୋ

  • କଳାହାଣ୍ଡି ପ୍ରତିଷ୍ଠା ଦିବସରେ ‘ଲକ୍ଷ୍ମୀ’ ବସ୍‌ର ଶୁଭାରମ୍ଭ
  • ବସ୍‌ରେ ବସିଲେ ମୁଖ୍ୟମନ୍ତ୍ରୀ
  • ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡ଼ିବ ‘ଲକ୍ଷ୍ମୀ’ ବସ୍‌
  • ରୂପାନ୍ତରଣ କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ: ମୁଖ୍ୟମନ୍ତ୍ରୀ
  • ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ ଉଦ୍‌ଘାଟିତ
  • କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ‘ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ’ ଭାବେ ନାମିତ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ଦିନ ଏଠାରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ କଳାହାଣ୍ଡି ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ।

କଳହାଣ୍ଡି ବିଶ୍ଵବିଦ୍ୟାଳୟ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡ଼ିକୁ ଆହୁରି ଆଗକୁ ନେଇଯିବ।”

‘ଲକ୍ଷ୍ମୀ’ ଯୋଜନାରେ କଳହାଣ୍ଡିରେ ୬୩ଟି ବସ୍ ଚାଲିବ। ଏହି ବସ ସବୁ ପଞ୍ଚାୟତକୁ ଗଡ଼ିବ। ସାରା ରାଜ୍ୟରେ ‘ଲକ୍ଷ୍ମୀ’ ଯୋଜନାରେ ଏକ ହଜାର ବସ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭାବେ ନାମିତ କରିଥିଲେ।

ଲକ୍ଷ୍ମୀ ବସ୍‌ରେ ବସି ମୁଖ୍ୟମନ୍ତ୍ରୀ ବଳରାମପୁର ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ବିକ୍ୟୁଏସ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଆଜି ଦିନଟି କଳାହାଣ୍ଡିର ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ। ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହେଲା ଏବଂ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଗଲା। ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଆଗକୁ ନେଇଯିବ।”

ଗାଁରେ ବସର ଅସୁବିଧା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାଣିବା ପରେ ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରାଯାଇଛି। ଏହା ଦ୍ଵାରା ସମସ୍ତଙ୍କର ଚିନ୍ତା ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କଳାହାଣ୍ଡିର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭିତ୍ତିଭୂମି, ଶିଳ୍ପ ଏବଂ କୃଷି ଆଦି କ୍ଷେତ୍ରରେ ବିକାଶ କଳାହାଣ୍ଡିବାସୀଙ୍କ ସ୍ଵପ୍ନକୁ ସାକାର କରିଛି। କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିବା ସହ ସଫଳତାର  ନୂଆ କାହାଣୀ ଯୋଡ଼ିଛି। ଦିନେ ଭୋକର ଭୂଗୋଳ କୁହାଯାଉଥିବା କଳହାଣ୍ଡି ଆଜି ସାରା ଦେଶକୁ ଚାଉଳ ଦଉଛି। ବିକାଶ ଯାତ୍ରାରେ ବହୁତ ଆଗକୁ ବଢ଼ିଛି। ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ କଳାହାଣ୍ଡିର ବିକାଶ ଯାତ୍ରା  ଆହୁରି ଆଗକୁ ଯିବ।”   

କଳାହାଣ୍ଡିରେ ଖୁବ୍ ଶୀଘ୍ର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଆମ ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଯାଇଥିବା ସମୟରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ ଉଦ୍‌ଘାଟନ କରିଛନ୍ତି। ଏହି  ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ଜଳସମ୍ପଦ ତଥା ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇ ‘ଲକ୍ଷ୍ମୀ’ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇତିହାସ ରଚନା କରିଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେଉଁ ସ୍ଥାନରେ ପରିବହନ ସୁବିଧା ପାଇବା ଲୋକଙ୍କ ପାଇଁ ସ୍ଵପ୍ନ ଥିଲା ସେଠାରେ ଆଜି ଘର ପାଖରେ ବସ ସେବା ଉପଲବ୍ଧ ହେଉଛି।

କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ। ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ଭୂପିନ୍ଦର ସିଂ, ଦିବ୍ୟଶଙ୍କର ମିଶ୍ର, ମୌଷଧି ବାଗ, ପ୍ରଦୀପ କୁମାର ଦିଶାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Tags: #Kalahandi #CMOdisha #CMNaveenPatnaik #LAccMIBus

Comment