ଓଡ଼ିଶାଲାଇଭ୍ ବ୍ୟୁରୋ

- ନେପାଳରେ ୬.୪ ରିକ୍ଟର ସ୍କେଲ ତୀବ୍ରତାର ବଡ଼ଧରଣର ଭୂମିକମ୍ପ
- ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ
- ଉଦ୍ଧାର କାର୍ଯ୍ୟ ଜାରି, ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା
ଭାରତର ପଡ଼ୋଶୀ ଦେଶ ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି ବଡ଼ଧରଣର ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଏହି ଭୂମିକମ୍ପରେ ନେପାଳର ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଭୂମିକମ୍ପ ଯୋଗୁଁ ଅନେକ କୋଠାଘର ଭୁଷୁଡ଼ି ପଡିଛି। ଅନେକଲୋକ ଘରଗୁଡ଼ିକରେ ଫସି ରହିଥିବାର ମଧ୍ୟ ସୂଚନା ମିଳିଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳର କର୍ନାଲି ରାଜ୍ୟର ଜାଜରକୋଟ୍ ଜିଲ୍ଲା ଅନ୍ତର୍ଗତ ଲାମିଡାଣ୍ଡା ଅଞ୍ଚଳରେ ରହିଥିଲା। ଭୂମିରୁ ୧୦ କିଲୋମିଟର ତଳେ ଏହା ସଂଗଠିତ ହୋଇଥିଲା। ଏହି ଭୂମିକମ୍ପରେ ଜାଜରକୋଟ୍ ସମେତ ନିକଟବର୍ତ୍ତୀ ରୁକୁମ, ଦୈଲେଖ, ଶାଲୟାନ୍ ଓ ଜୁମଲା ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତି ହୋଇଛି।
ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ନେପାଳର ଅନ୍ୟ ରାଜ୍ୟ ସମେତ ଭାରତର ଉତ୍ତର ପ୍ରଦେଶ ଓ ବିହାରର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ରାତି ସମୟରେ ହୋଇଥିବାରୁ ବହୁତ ଲୋକ ଘରଗୁଡ଼ିକରେ ଫସି ଯାଇଥିଲେ। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପରେ ବୋଲି ଆଶଙ୍କା କରାଯାଉଛି।

ଏବେ ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଘରମାନଙ୍କରୁ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ନେପାଳର ସେନା ଓ ଅନ୍ୟ ବିପର୍ଜୟ ପରିଚାଳନା ସଂସ୍ଥା ଏହି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଆହତ ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଉଛନ୍ତି। ସରକାର ବର୍ତ୍ତମାନ ପାଇଁ ଲୋକମାନଙ୍କୁ ଘରେ ନରହି ଖୋଲା ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି।
ନେପାଳରେ ହୋଇଥିବା ଏହି ଭୂମିକମ୍ପରେ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେଠାରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ଭାରତ ନେପାଳ ସରକାରଙ୍କ ସବୁ ପ୍ରକାର ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ନେପାଳରେ ରହୁଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ନମ୍ବର +୯୭୭-୯୮୫୧୩୧୬୮୦୭ ଜାରି କରାଯାଇଛି।
Tags: #Nepal #Earthquake #JajarkotDistrict #HimalayanRegion #NaturalDisaster