ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳର କାଠମାଣ୍ଡୁ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଘଟିଛି ବଡ଼ ଦୁର୍ଘଟଣା। ଉଡ଼ାଣ ଭରିବା ବେଳେ ଗୋଟିଏ ବିମାନ ରନଓ୍ଵେରେ ଖସିପଡ଼ି ଜଳିଯାଇଥିଲା। ଫଳରେ ୧୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବିମାନଟି କାଠମାଣ୍ଡୁରୁ ପୋଖରା ଯାଉଥିଲା।

ବୁଧବାର ସକାଳେ କାଠମାଣ୍ଡରୁ ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରୁ ୧୮ ଜଣ ଯାତ୍ରୀଙ୍କ ନେଇ ଉଡ଼ାଣ ଭରିଥିଲା ସୂର୍ଯ୍ୟା ଏୟାରଲାଇନ୍ସର ବିମାନ। ଅଳ୍ପ ଉଚ୍ଚକୁ ଉଠି ନିକଟରେ ଥିବା ଏକ ଖାଲକୁ ବିମାନଟି ଖସିପଡ଼ିଥିଲା। ବିମାନଟିରୁ ଧୂଆଁ ବାହାରିବା ପରେ ପରେ ହଠାତ ଜଳି ଉଠିଥିଲା।

ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜଳି ଯାଇଥିବା ବିମାନ ଭିତରୁ ୧୮ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ସୂର୍ଯ୍ୟା ଏୟାରଲାଇନ୍ସର କର୍ମଚାରୀ ବୋଲି କୁହାଯାଉଛି।

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିମାନର ପାଇଲଟ। ଆହତ ହୋଇଥିବା ପାଇଲଟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ହେବା ପରେ ଦୁର୍ଘଟଣା ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବ ବୋଲି କାଠମାଣ୍ଡୁ ପୋଲିସ କହିଛି।

Tags: #PlaneCrash #Nepal #TribhuvanInternationalAirport #Death

Comment