ଓଡ଼ିଶାଲାଇଭ୍ ବ୍ୟୁରୋ

କୁହାଯାଏ ‘ରଖେ ରହି ତ ମାରେ କିଏ…’ ଏକ ଭୟଙ୍କର ବିମାନ ଦୁର୍ଘଟଣାର ୪୦ ଦିନ ପରେ ୪ ଶିଶୁ ଆମାଜନ ଜଙ୍ଗଲ ଭିତରୁ ଜୀବନ୍ତ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଘଞ୍ଚ ଆମାଜନ ଜଙ୍ଗଲ, ତା’ ଭିତରେ ଏକୁଟିଆ ୪ଟି ଛୋଟ ଛୁଆ ୪୦ ଦିନ ବଞ୍ଚି ରହିଲେ। ଏହି ୪ଜଣ ଶିଶୁଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ବି ଥିଲା। ସାହାଯ୍ୟ ଅପେକ୍ଷାରେ ଥିବା ଏହି ୪ ଶିଶୁ ବଞ୍ଚି ରହିବା ପାଇଁ ସଂଘର୍ଷ କରିଥିଲେ। ବାରମ୍ବାର ସ୍ଥାନ ବଦଳାଉ ଥିଲେ। ଏ ପଟେ କଲମ୍ବିଆ ସେନା ସେମାନଙ୍କୁ ଖୋଜିବାକୁ ଦିନରାତି ଏକ୍ କରିଦେଇଥିଲା। ୧୨୦ ଫୁଟରୁ ଅଧିକ ଉଚ୍ଚର ଗଛ ଥିବା ଏହି ଜଙ୍ଗଲରୁ ଶିଶୁମାନଙ୍କୁ ଠାବ କରିବା ବେଶ୍ କଷ୍ଟକର ଥିଲା। ସେନାର ଉଦ୍ୟମ ଓ ଶିଶୁମାନଙ୍କ ସାହସ ଯୋଗୁଁ ଏହା ସମ୍ଭବ ହେଲା।

ମେ’ ମାସ ୧ ତାରିଖ, ବଡ଼ ଖୁସିରେ ମା’ଙ୍କ ସହ ଏକ ଛୋଟ ବିମାନରେ ସେନ୍‌ଜୋସ ଡେଲ ଗ୍ଵାବିଅରକୁ ବାହାରିଥିଲେ ୪ ଶିଶୁ। ବିମାନରେ ଜଣେ ପାଇଲଟ ଓ ଜଣେ ସହାୟକ ଥିଲେ। କିଛି ସମୟର ଉଡ଼ାଣ ପରେ ଉଡ଼ାଯାହାଜଟିରେ ବୈଷୟିକ ତ୍ରୁଟି ଥିବା ସୂଚନା ମିଳିଥିଲା। ଏହା ପରେ ତାହା ରାଡାର ବାହାରକୁ ଚାଲିଯିବା ସହ ଖସିପଡ଼ିଥିଲା।

ତଲାସୀ ଅଭିଯାନର ୧୬ ଦିନ ପରେ ବିମାନର ଧ୍ଵଂସାବଶେଷ ମିଳିଥିଲା। ଏହା ସହିତ ୩ ଜଣଙ୍କ ମୃତଦେହ ମଧ୍ୟ ମିଳିଥିଲା। ମୃତକଙ୍କ ମଧ୍ୟରେ ପାଇଲଟ, ସହାୟକ ଓ ଶିଶୁମାନଙ୍କର ମା’ ଥିଲେ। କିନ୍ତୁ ଶିଶୁମାର କୌଣସି ସନ୍ଧାନ ମିଳିନଥିଲା। ତେଣୁ ସେମାନେ ବଞ୍ଚିଥିବା ନେଇ ଆଶା ସଞ୍ଚାର ହୋଇଥିଲା। ଏତେ ଦିନ ଧରି ବିନା ଖାଦ୍ୟରେ ଏବଂ ଜଙ୍ଗଲୀ ଜନ୍ତୁ ଭର୍ତ୍ତି ଥିବା ଜଙ୍ଗଲରେ ପିଲାମାନେ ସୁରକ୍ଷିତ ରହିଥିବେ କି ନାହିଁ ତାକୁ ନେଇ ଉଦ୍ଧାରକାରୀ ଦଳଙ୍କୁ ସନ୍ଦେହରେ ପକାଇଥିଲା।

ଏହି ଅଞ୍ଚଳକୁ ମୃତ୍ୟୁର ଉପତ୍ୟକା ବୋଲି ମଧ୍ୟ କୁହାଯାଏ। କାରଣ ଏହି ଅଞ୍ଚଳରେ ବହୁ ବିମାନ ଦୁର୍ଘଟଣା ଘଟିଥିବା ବେଳେ ଜୀବନ୍ତ ଉଦ୍ଧାର ହେବା ଘଟଣା ବିରଳ। ବିମାନ ଦୁର୍ଘଟଣାର ୪୦ ଦିନ ପରେ ଏମିତି ୪ ଜଣ କୋମଳମତି ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି ଉଦ୍ଧାରକାରୀ ଦଳର ଜଣେ ବରିଷ୍ଠ ଅଧିକାରୀ।

ଉଦ୍ଧାର ହୋଇଥିବା ୪ ଶିଶୁଙ୍କ ମଧ୍ୟରୁ ସବୁଠାରୁ ବଡ଼ର ବୟସ ୧୩ ବର୍ଷ। ଅନ୍ୟମାନେ ଯଥାକ୍ରମେ ୯, ୪ ଓ ଏକ ବର୍ଷକର। ବିମାନ ଦୁର୍ଘଟଣା ପରେ ଶିଶୁମାନଙ୍କୁ ସ୍ଥାନୀୟ ଲୋକେ ଦେଖଥିଲେ ମଧ୍ୟ ସେମାନଙ୍କୁ ଆଶ୍ରୟ ଦେଇନଥିଲେ। ଶିଶୁମାନଙ୍କ ସମ୍ପର୍କରେ ଖବର ମିଳିଥିବା ସମ୍ପର୍କରେ କଲମ୍ବିଆ ରାଷ୍ଟ୍ରପତି କହିଥିଲେ ମଧ୍ୟ କାହାକୁ ବିଶ୍ଵାସ ହୋଇନଥିଲା। ରାଷ୍ଟ୍ରପତି ମିଛ କହୁଛନ୍ତି ବୋଲି ସମସ୍ତେ କହିଥିଲେ। ଏହା ଟୁଇଟରରେ ଟ୍ରେଣ୍ଡିଂରେ ମଧ୍ୟ ରହିଥିଲା।

ଶିଶୁମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ସମସ୍ତେ ସେନା ଓ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ଲଗାତର ୪୦ ଦିନର ଅଭିଯାନ ପାଇଁ ସେନା ବାହିନୀର ଉଦ୍ୟମକୁ ଶ୍ରେୟ ଦିଆଯାଇଛି। ସେନାର ହେପାଜତରେ ଶିଶୁମାନେ ଥିବା ଏକ  ଫଟୋକୁ ରାଷ୍ଟ୍ରପତି ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

ଘଞ୍ଚ ଜଙ୍ଗଲ ସାଙ୍ଗକୁ ଉଚ୍ଚା ଉଚ୍ଚା ଗଛ। ତଳକୁ ଆବାଜ ଯିବା କଷ୍ଟକର। ତଥାପି ବିଭିନ୍ନ ସ୍ଥାନରେ ଓହ୍ଲାଇବା ପରେ ସେନାକୁ ଶିଶୁମାନଙ୍କର ପାଦ ଚିହ୍ନ ସହ ଦୁଗ୍ଧ ବୋତଲ ମିଳିଥିଲା। ଏହାକୁ ଆଧାର କରି ଶିଶୁମାନେ ବଞ୍ଚିଥିବା ନେଇ ସେନା ତା’ର ଅଭିଯାନକୁ ଜୋର୍‌ଦାର କରିଥିଲା। ଉଦ୍ଧାରକାରୀ ଦଳ ହେଲିକପ୍ଟରରୁ ଶିଶୁମାନଙ୍କୁ ଖୋଜିବାକୁ ଅଭିନୟ ପ୍ରୟାସ କରିଥିଲେ। ଏହି ଶିଶୁମାନଙ୍କ ଜେଜେମା’ଙ୍କ ଭଏସରେ ‘ଯେଉଁଠି ଅଛ ସେଠାରେ ଅଟକି ଯାଅ’ ରେକର୍ଡ କରାଯାଇ ଏହା ମାଧ୍ୟମରେ ଶିଶୁମାନଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରହିଥିଲା।

ଉଦ୍ଧାର ପାଇଁ ଶହେରୁ ଅଧିକ ଜବାନଙ୍କ ସମେତ ସ୍ନିଫର ଡଗ୍‌ଙ୍କୁ ନିୟୋଜିତ କରାଯାଇଥିଲା। ଏହା ସହିତ ସେନାର ଏକାଧିକ ସ୍ଵତନ୍ତ୍ର ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଥିଲା। ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟର ସୂଚନା ଅନୁସାରେ ଦୁର୍ଘଟଣା ଘଟିବାର ତତ୍‌କ୍ଷଣାତ ଶିଶୁମାନେ ସେଠାରୁ ବାହାରି ଯାଇ ସହାୟତା ଅନୁସନ୍ଧାନ କରୁଥିଲେ। କିନ୍ତୁ ଏତେ ଦିନ ଧରି କେମିତି ବଞ୍ଚି ରହିଲେ ସେ ନେଇ କିଛି ପଚରାଉଚରା କରାଯାଇ ନାହିଁ। ଶିଶୁମାନଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ପରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Tags: #AmazonRainforest #PlaneCrash #MissingKids #Rescue

Comment