ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମରେ ପହଞ୍ଚିଛି। ଯବାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ରାତିରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସହିଦ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ବୁଧବାର ଅପରାହ୍ଣରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ସହିଦ ଯବାନଙ୍କୁ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏହାପରେ ପାର୍ଥିବ ଶରୀରକୁ ବାଲେଶ୍ଵର ଅଭିମୁଖେ ପଠାଯାଇଥିଲା।

ପ୍ରକାଶଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଅଭିମୁଖେ ନିଆଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ଥାନୀୟ ଲୋକେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସହିଦଙ୍କ ପାର୍ଥିବ ଶରୀର ବାହାନଗାରେ ପହଞ୍ଚିବା ପରେ ଅନେକ ଲୋକ ଏକାଠି ହୋଇ ଗାଁ ମାଟିକୁ ପାଛୋଟି ନେଇଥିଲେ। ‘ସହିଦ ଯବାନ ଅମର ରହେ’ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ଅନ୍ୟପଟେ ପ୍ରକାଶଙ୍କ ଘର ପରିବାର ଲୋକ ଓ ଅନ୍ୟ ଆତ୍ମୀୟଙ୍କ କାନ୍ଦବୋବାଳି ଫାଟି ପଡ଼ୁଥିଲା।  

ପ୍ରକାଶ ଚନ୍ଦ୍ର ସିଅଳ ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନ ସମୟରେ ଏକ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଯାଉଥିବା ସମୟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଥିଲେ। ଏଥିରେ ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।

ଏହାପରେ ପ୍ରକାଶ ଓ ଅନ୍ୟ ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ରାୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ବୁଧବାର ରାତିରେ ଗୋପାଳପୁର ଗ୍ରାମରେ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ପ୍ରକାଶ ଚନ୍ଦ୍ର ସିଅଳଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।  

Tags: #PrakashChandraSial #MartyredOdiaJawan #LandmineBlast #MaoistAttack #BSF #Chhattisgarh #Odisha

Comment