ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସଏଫ୍‌ ଯବାନ ପ୍ରକାଶ ଚନ୍ଦ୍ର ସିଅଳ। ମଙ୍ଗଳବାର ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡ୍‌ମାଇନର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ପ୍ରକାଶ। ବୁଧବାର ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର ଖବର ମିଳିବାପରେ ତାଙ୍କ ଜନ୍ମମାଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପ୍ରକାଶ ଚନ୍ଦ୍ର ସିଅଳ ଛତିଶଗଡ଼ରେ ୨୦୬ କୋବ୍ରା ବାଟାଲିଅନରେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ସେ ଛତିଶଗଡ଼ ବିଧାନସଭା ନିର୍ବାଚନ ସମୟରେ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଯାଉଥିଲେ।

ତେବେ ବିଏସଏଫ ଯବାନମାନେ କାଙ୍କେର ଜିଲ୍ଲାର ରେଙ୍ଗାବାଇ ଜଙ୍ଗଲ ଦେଇ ଯାଉଥିବାବେଳେ ମାଓବାଦୀମାନଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ପ୍ରକାଶଙ୍କ ସମେତ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ରାୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ପ୍ରକାଶଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପରିନଥିଲା। ଏବେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ବାଲେଶ୍ଵରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।    

ସହିଦ ପ୍ରକାଶ ପ୍ରକାଶ ଚନ୍ଦ୍ର ସିଅଳ ୨୦୦୪ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ। ପରିବାରରେ ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଏହାସହ ଘରେ ତାଙ୍କର ଦୁଇ ଭାଇ ଏବଂ ମା’ ରହିଛନ୍ତି। ପ୍ରକାଶଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।  

Tags: #PrakashChandraSial #MartyredOdiaJawan #LandmineBlast #MaoistAttack #BSF #Chhattisgarh #Odisha

Comment