ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ବୁଧବାର ପ୍ରଥମ ସେମିଫାଇନାଲରେ ଦଳ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି। ମ୍ୟାଚରେ ୭ଟି ୱିକେଟ ନେଇ ଦମଦାର ପ୍ରଦର୍ଶନ କରି ମହମ୍ମଦ ଶାମି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ସେମିଫାଇନାଲକୁ କ୍ରିକେଟ ପ୍ରେମୀମାନେ ବେଶ୍ ଉପଭୋଗ କରିଥିଲେ।


ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଭାରତ। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।


ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦଳ ୫୦ ଓଭରରେ ୪ଟି ୱିକେଟ ହରାଇ ୩୯୭ ରନ୍ କରିବାରେ ସଫଳ ହେଲା। ଭାରତ ପକ୍ଷରୁ ବିରାଟ କୋହଲି ୧୧୩ ବଲରୁ ୧୧୭ ରନ୍ କରିଥିବାବେଳେ ଶ୍ରେୟସ୍ ଆୟର ୭୦ ବଲରୁ ୧୦୫ ରନର ଦମଦାର ଇନିଂସ୍ ଖେଳିଥିଲେ।


ସେହିପରି ଦ୍ଵିତୟ ଇନିଂସରେ ୩୯୮ ରନର ଲକ୍ଷ୍ୟକୁ ଆଖି ଆଗରେ ରଖି ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଭଲ ରନ୍ କରିବା ଆରମ୍ଭ କରିଥିଲା। ଦଳ ପକ୍ଷରୁ ଅଧିନାୟକ କେନ ୱିଲିୟମସନ୍ ଓ ଡ୍ୟାରିଲ୍ ମିଚେଲ ସୁନ୍ଦର ବ୍ୟାଟିଂ କରିଥିଲେ। ଡ୍ୟାରିଲ୍ ମିଚେଲ ୧୩୪ ରନର ସୁନ୍ଦର ଇନିଂସ୍ ଖେଳିଥିଲେ।


ଅନ୍ୟପଟେ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କ ୱିକେଟ ନେଇ ଚାଲିଥିଲେ। ମ୍ୟାଚରେ ମହମ୍ମଦ ଶାମି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇ ନ୍ୟୁଜିଲାଣ୍ଡ ନିକଟରୁ ବିଜୟ ଛଡ଼ାଇ ଆଣିଥିଲେ। ସେ ୫୭ ରନ୍ ଦେଇ ୭ଟି ୱିକେଟ୍ ହାସଲ କରିଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୩୨୭ ରନରେ ଅଲଆଉଟ୍ ହୋଇଥିଲା।


ଏବେ ଭାରତ ରବିବାର ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା ଖେଳିବ। ଗୁରୁବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ସେମିଫାଇନାଲରେ ବିଜୟୀ ହେବାକୁଥିବା ଦଳ ଭାରତ ସହ ପ୍ରତିଦ୍ବନ୍ଦ୍ବିତା କରିବ। ଫାଇନାଲ ମୁକାବିଲା ଜିତି ଭାରତୀୟ ଦଳ ବିଶ୍ୱକପ୍ ଟ୍ରଫି ଉଠାଇବ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି।

Tags: #ICCCricketWorldCup #Semifinal #IndiavsNewZealand #Cricket #ICC

Comment