ଓଡ଼ିଶାଲାଇଭ୍ ବ୍ୟୁରୋ
ଅନନ୍ୟ ଆମ ଜନଜାତି ଜୀବନ। ସମୃଦ୍ଧ ଜନଜାତି ସଂସ୍କୃତି। ନିଆରା ଏହି ଜନଜାତି ପରମ୍ପରା। ଏସବୁ ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ସେଇ ଜନଜାତି ଜୀବନକୁ ଗୋଟିଏ ଛାତ ତଳେ ବାନ୍ଧି ରଖିଛି ଭୁବନେଶ୍ୱରସ୍ଥିତ ‘ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ’। ବିଶେଷକରି, ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ସଂଗ୍ରହାଳୟକୁ ଆସୁଥିବା ଦର୍ଶକମାନେ ଜନଜାତିଙ୍କ ଜୀବନ ସମ୍ପର୍କରେ ନିଆରା ଅନୁଭୂତି ପାଇପାରୁଛନ୍ତି।
“ଭୁବନେଶ୍ୱର ଭଳି ଏକ ବ୍ୟସ୍ତବହୁଳ ସହରରେ ଏମିତି ଏଜ ସ୍ଥାନ ଅଛି, ଯେଉଁ ଆମ ଜନଜାତିଙ୍କ ଜୀବନକୁ ଏତେ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି ତାହା ଦେଖି ବହୁତ ଖୁସି ଲାଗିଲା। କୌଣସି ଏକ ଆଦିବାସୀ ଅଞ୍ଚଳକୁ ନଯାଇ ମଧ୍ୟ ଆମେ ଏଠି ସେଇ ଅନୁଭବ ପାଇଲୁ”, କହିଛନ୍ତି ମ୍ୟୁଜିୟମକୁ ବୁଲି ଆସିଥିବା ଜଣେ ଛାତ୍ର ଆଦିତ୍ୟ ପ୍ରସାଦ ପାଢ଼ୀ।
ଭୁବନେଶ୍ୱରର ସିଆରପିଏଫ୍ ଛକ ନିକଟରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍ସିଏସ୍ଟିଆରଟିଆଇ) କ୍ୟାମ୍ପସରେ ଏକ ସବୁଜ ପରିବେଶ ଭିତରେ ରହିଛି ଏହି ସଂଗ୍ରହାଳୟ। ରାଜ୍ୟର ୬୨ଟି ଜନଜାତି ଏବଂ ସେମାନଙ୍କ ମଧ୍ୟରେ ଥିବା ୧୩ଟି ‘ବିଶେଷ ଭାବେ ଅନୁନ୍ନତ ଜନଜାତି ସୁମଦାୟ’ ବା ପିଭିଟିଜିଙ୍କ ଜୀବନଶୈଳୀ, କଳା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତିଫଳନ ପାଲଟିଛି ଏହି ମ୍ୟୁଜିୟମ। ଭାରତର ପ୍ରଥମ ଜନଜାତି ସଂଗ୍ରହାଳୟ ଭାବେ ଏହା ୟୁନେସ୍କୋ ଦ୍ୱାରା ସ୍ୱୀକୃତିପ୍ରାପ୍ତ।
“ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭାରତର ଏକ ଅନନ୍ୟ ମ୍ୟୁଜିୟମ। ଏଠାରେ ଓଡ଼ିଶାର ବସବାସ କରୁଥିବା ବିଭିନ୍ନ ଜନଜାତିଙ୍କ ବେଶ ପୋଷାକ, କଳା ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଘରୋଇ ଓ କୃଷି ଉପକରଣ ଆଦି ସଂରକ୍ଷଣ କରି ରଖାଯାଇଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଗବେଷକମାନେ ଆମ ରାଜ୍ୟର ସମୃଦ୍ଧ ଜନଜାତି ସଂସ୍କୃତିକୁ ଅତି ପାଖରୁ ଜାଣିବାର ସୁଯୋଗ ପାଉଛନ୍ତି”, କହିଛନ୍ତି ଏସ୍ସିଏସ୍ଟିଆରଟିଆଇ ତଥା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ।
୫ଟି ହଲ୍ରେ ଜନଜାତିଙ୍କ ଜୀବନର ପ୍ରତିଫଳନ
ସଂଗ୍ରହାଳୟର ମୁଖ୍ୟ କୋଠାରେ ରହିଛି ୫ଟି ପ୍ରଦର୍ଶନୀ କକ୍ଷ। ଏଠାରେ ଶୋଭା ପାଉଛି ଜନଜାତିଙ୍କ ପାରମ୍ପରିକ ଅଳଙ୍କାର ଓ ହାତବୁଣା ଲୁଗା, ସେମାନେ ବ୍ୟବହାର କରୁଥିବା ଆସବାବପତ୍ର, ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ଚିତ୍ରକଳା, ବାଉଁଶ କଳାକୃତି ଏବଂ କାନ୍ଥଚିତ୍ର।
ସେହିପରି ଫାଶ, ଖାଳେଇ, ଖଇଁଚି, ଗୁଲ୍ତି, ବର୍ଚ୍ଛା, ମେରିଆ କାତି, ହାକୁ ଖେଂଚା ଭଳି ଜନଜାତିଙ୍କ ଶିକାର ଉପକରଣ ଏବଂ ଆତ୍ମରକ୍ଷା ପାଇଁ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ମଧ୍ୟ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି। ବିଭିନ୍ନ କକ୍ଷରେ ଆଦିବାସୀ ଚିତ୍ରକଳା ଓ ହସ୍ତକଳାର ଲାଇଭ୍ ଡେମୋନଷ୍ଟ୍ରସନ୍ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରୁଛି।
ପିଭିଟିଜି ଗ୍ୟାଲେରୀରେ ନିଆରା ଅନୁଭୂତି
“ଓଡ଼ିଶାର ୧୩ଟି ‘ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ’ଙ୍କ ଜୀବନଶୈଳୀ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ସଂଗ୍ରହାଳୟରେ ରହିଛି ଏକ ସ୍ୱତନ୍ତ୍ର ଗ୍ୟାଲେରୀ। ଏହାକୁ ପିଭିଟିଜି ଗ୍ୟାଲେରୀ ଭାବେ ନାମିତ କରାଯାଇଛି। ଏଠାରେ ଜନଜାତିଙ୍କ ପ୍ରତିକୃତି ସହ ସେମାନଙ୍କ ପାରମ୍ପରିକ ଘର ଓ ଜୀବନଶୈଳୀ ଆଦି ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି। ମୋଟାମୋଟି ଭାବେ ଏହି ସଂଗ୍ରହାଳୟ ବିଭିନ୍ନ ବର୍ଗର ଦର୍ଶକମାନଙ୍କ ପାଇଁ ବିଶେଷ ଆକର୍ଷଣୀୟ ଓ ଶିକ୍ଷଣୀୟ ହୋଇପାରିଛି’’, କହିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ ରୁପା ରୋଶନ ସାହୁ।
“ଆମେ ଓଡ଼ିଶାକୁ ଆସି ଏହି ସଂଗ୍ରହାଳାୟକୁ ବୁଲିବାକୁ ଆସିବାର ସୁଯୋଗ ପାଇଲୁ। ଏଠାରେ ଜନଜାତି ବ୍ୟବହାର କରୁଥିବା ବେଶପୋଷାକ, ଅଳଙ୍କାର, ବିଭିନ୍ନ ଉପକରଣକୁ ଅତି ସୁନ୍ଦର ଭାବେ ସଂରକ୍ଷଣ କରି ରଖାଯାଇଛି। ତା’ଛଡ଼ା ଏଠାରେ ଯେଉଁ ଲାଇଭ ଡେମୋନଷ୍ଟ୍ରେସନ ଚାଲିଛି ତାହା ମଧ୍ୟ ବେଶ୍ ଆକର୍ଷଣୀୟ। ଆମକୁ ଏଠି ଅନନ୍ୟ ଅନୁଭୂତି ମିଳିଲା’’, କହିଛନ୍ତି ଜଣେ ବିଦେଶୀ ପର୍ଯ୍ୟଟକ କ୍ଲାଉଡିଆ ଓଲ୍ଫ୍।
ଆଧୁନିକ ଜ୍ଞାନ କୌଶଳ ଜନଜାତି ସଂଗ୍ରହାଳୟକୁ କରିଛି ଆକର୍ଷଣୀୟ
ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରଦର୍ଶନ ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭାରତର ଏକ ଅଗ୍ରଣୀ ମ୍ୟୁଜିୟମ। ଏଠାରେ ପ୍ରତ୍ୟେକ ପ୍ରଦର୍ଶନୀ କକ୍ଷ ଓ ସ୍ୱତନ୍ତ୍ର ପିଭିଟିଜି ଗ୍ୟାଲେରୀରେ ରହିଛି ଟଚ୍ସ୍କ୍ରିନ କିଓସ୍କ, ଯେଉଁଥିରେ ଓଡ଼ିଆ, ହିନ୍ଦୀ ଏବଂ ଇଂଲିଶ ଏହିପରି ୩ଟି ଭାଷାରେ ଜନଜାତିଙ୍କ ସମ୍ପର୍କରେ ବିଭିନ୍ନ ଭିଡିଓ ଦେଖିପାରୁଛନ୍ତି ଦର୍ଶକ।
ଆଧୁନିକ ଭିଆର୍ ଟେକ୍ନୋଲୋଜି ଜରିଆରେ ଟିଭି ଆଗରେ ଛିଡ଼ା ହୋଇ, ହେଡ୍ଫୋନ୍ ଲଗାଇ ଆଦିବାସୀଙ୍କ ସମ୍ପର୍କିତ ୩୬୦ ଡିଗ୍ରୀ ଭିଡିଓ ଦେଖିବାର ବ୍ୟବସ୍ଥା କରାଯାଇଛି । ସେହିପରି ଇଂଟରଆକ୍ଟିଭ ପ୍ରୋଜେକ୍ସନ ଥିଏଟରରେ ଥ୍ରିଡି ଇମେଜ୍ ମାଧ୍ୟମରେ ପ୍ରତିଫଳିତ ହେଉଛି ଜନଜାତିଙ୍କ ଜୀବନ ଓ ଜୀବିକା। ଜ୍ଞାନକୌଶଳର ଏପରି ବ୍ୟବହାର ଜନଜାତି ସଂଗ୍ରହାଳୟକୁ ଅତ୍ୟାଧୁନିକ ଓ ଆକର୍ଷଣୀୟ କରିଛି।
ସଂଗ୍ରହାଳୟରେ ଆଦିବାସୀଙ୍କ ଉପରେ ପ୍ରସ୍ତୁତ ବିିଭନ୍ନ ତଥ୍ୟଭିତ୍ତିକ ଭିଡିଓ ଦେଖିବାକୁ ରହିଛି ଏକ ମିନିଥିଏଟର । ଏଠାରେ ବସି ପର୍ଯ୍ୟଟକମାନେ ଜନଜାତିଙ୍କ ସଂସ୍କୃତି, ପର୍ବପର୍ବାଣୀ ଓ ଆଦିବାସୀ ବିପ୍ଳବୀମାନଙ୍କର ଜୀବନ କାହାଣୀକୁ ପରଦାରେ ଦେଖିପାରୁଛନ୍ତି।
ଜନଜାତିଙ୍କ ଉପାସନା ପୀଠ ଓ ଟ୍ରାଇବାଲ ହଟ୍
ସଂଗ୍ରହାଳୟରେ ଖୋଲା ଆକାଶ ତଳେ ରହିଛି ବିଭିନ୍ନ ଜନଜାତିଙ୍କ ଆରାଧ୍ୟ ଦେବଦେବୀ ଏବଂ ଉପାସନା ସ୍ଥଳର ପ୍ରତିକୃତି। ସେହିପରି ସଂଗ୍ରହାଳୟ ପରିସରରେ କନ୍ଧ, ଜୁଆଙ୍ଗ, ସାନ୍ତାଳ, ଗଣ୍ଡ, ଲାଞ୍ଜିଆ ସଉରା, ଚୁକ୍ଟିଆ ଭୁଞ୍ଜିଆ ଓ ଗଦବା ଆଦି ୭ଟି ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ବାସଗୃହର ମଡେଲ୍ କରାଯାଇଛି। ଏସବୁ ସଂଗ୍ରହାଳୟକୁ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କୁ ଆଦିବାସୀ ଗାଁର ଅନୁଭବ ଦେଉଛି।
ମ୍ୟୁଜିୟମ ନିକଟରେ ଅଛି ଏସ୍ସିଏସ୍ଟିଆର୍ଟିଆଇର ଏକ ସମୃଦ୍ଧ ପାଠାଗାର, ଯେଉଁଠି ଜନଜାତିଙ୍କ ସମ୍ପର୍କରେ ରହିଛି ଅନେକ ମୂଲ୍ୟବାନ ବହି। ଏସବୁ ବ୍ୟତୀତ ରହିଛି ଏକ ଅଡିଟୋରିୟମ, ସୋଭେନିର ସପ୍, ଫୁଡ୍ କୋର୍ଟ ଓ ହର୍ବାଲ ଗାର୍ଡେନ୍ ।
ଆମ ରାଜ୍ୟର ଜନଜାତିଙ୍କ ସାଂସ୍କୃତିକ ବିଶେଷତା ଓ ବିବିଧତାକୁ ଗୋଟିଏ ଛାତ ତଳେ ପ୍ରଦର୍ଶିତ କରୁଛି ‘ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ’, ଭୁବନେଶ୍ୱର। ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ଗବେଷକମାନଙ୍କ ଲାଗି ଏହା ପାଲଟିଛି ଏକ ନଲେଜ୍ ହବ୍। ଏହି ମ୍ୟୁଜିୟମ ସପ୍ତାହର ୬ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ରୁ ଯାଏଁ ଖୋଲା ରହୁଛି । ସୋମବାର ଦିନ ଏହା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହୁଛି। ଏବେ ପର୍ଯ୍ୟଟନ ଋତୁ ଆସିଯାଇଛି। ତେଣୁ ପ୍ରତିଦିନ ଏହି ଜନଜାତି ସଂଗ୍ରହାଳୟକୁ ବହୁ ସଂଖ୍ୟାରେ ଦର୍ଶକ ଆସୁଛନ୍ତି।