ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩୦ ତାରିଖ ଯାଏଁ ଚାଲିବ ମେଳା
  • ମେଳାରେ ସ୍ଥାନ ପାଇଛି ୧୦ଟି ରାଜ୍ୟର ଜନଜାତି କଳାକୃତି
  • ଜନଜାତି କଳାକୃତି ପାଲଟିଛି ମେଳାର ଆକର୍ଷଣ

ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପକ୍ଷରୁ ଶୁକ୍ରବାରର ସିଆରପି ଛକସ୍ଥିତ ଜନଜାତି ସଂଗ୍ରାଳୟରେ ଶୁଭାରମ୍ଭ ହୋଇଛି ଜାତୀୟ ଜନଜାତି କଳାବସ୍ତୁ ମେଳା-୨୦୧୭। ଏହା ଆସନ୍ତା ୩୦ତାରିଖ ଯାଏଁ ଚାଲିବ। ଏହି ମେଳାକୁ  ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ ଉଦ୍‌ଘାଟନ କରିଛନ୍ତି।

ଏହି ମେଳାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ସିକିମ୍, ତ୍ରିପୁରା, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ୧୦ଟି ରାଜ୍ୟର ୧୦୦ରୁ ଅଧିକ ଜନଜାତି କଳାକାରମାନେ ଅଂଶଗ୍ରହଣ କରିଛନ୍ତି।

ଜନଜାତିମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଚିତ୍ରକଳା, ଜନଜାତି ବସ୍ତ୍ର, ବିଭିନ୍ନ କଳା ବସ୍ତୁ, ଅଳଙ୍କାର, କଣ୍ଢେଇ, ଲାଖ, ଡୋକରା ସାମଗ୍ରୀ ଏହି ମେଳାରେ ସ୍ଥାନ ପାଇଛି। ଏହି କଳାକୃତିଗୁଡ଼ିକ ବହୁ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବାରୁ ଏହାକୁ ଦେଖିବାକୁ ଯୁବପୀଢ଼ି ମାନଙ୍କ ମଧ୍ୟରେ ଏକ ଉତ୍ସାହ ଦେଖାଯାଇଛି। ଶାନ୍ତାଳ, ଗଣ୍ଡବାଥୁଡ଼ିମାନଙ୍କର ଲାଖ ଶିଳ୍ପ, ମାଙ୍କିଡିଆ ଜନଜାତିଙ୍କର ଶିଳାଶିଳ୍ପ, ଡଙ୍ଗରିଆ କନ୍ଧମାନଙ୍କର ଏମ୍ରୋଡୋରୀ କାମ, କନ୍ଧମାନଙ୍କର ଡୋକରା ଶିଳ୍ପ ଆଦି ଏହି ମେଳାର ଆକର୍ଷଣ ପାଲଟିଛି।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ, “ଜନଜାତିମାନଙ୍କ ଦ୍ବାରା ପ୍ରସ୍ତୁତ କଳାକୃତିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଇଛି। ଏମାନଙ୍କ ସଂସ୍କୃତି ଏବଂ ସାମଗ୍ରୀକୁ ଭଲ ପାଉଥିବା କଳାପ୍ରେମୀମାନଙ୍କୁ ଏହା ଆକର୍ଷିତ କରିବ।”

ଉଦଘାଟନୀ ଉତ୍ସବରେ ଏସ୍‌ସିଏସଟି ଆରଟିଆଇର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment