ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହା ସୋମବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ନେଲୋର ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହାର ବେଗ ଘଣ୍ଟାପ୍ରତି ୧୩ କିଲୋମିଟର ରହିଛି। ବର୍ତ୍ତମାନ ଏହା ଚେନ୍ନାଇରୁ ୫୧୦ କିଲୋମିଟର ଓ ପୁଡୁଚେରିରୁ ୫୦୦ କିଲୋମିଟର ଦୂରରେ ରହିଛି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାଟି ଉପକୂଳ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଅଧିକ ରହିବାର ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ବର୍ଷା ଆରମ୍ଭ ହୋଇଛି।

ସେହିପରି ଆସୁଥିବା ବାତ୍ୟା ପାଇଁ ଓଡ଼ିଶାରେ ରବିବାରଠାରୁ ବର୍ଷା ବଢ଼ିବ। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।  

Tags: #Cyclone #LowPressure #Rainfall #RainfallWarning #WeatherUpdates #Odisha

LEAVE A REPLY

Please enter your comment!
Please enter your name here