ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ରବିବାର ଭାରତର ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟଗୁଡ଼ିକରେ ସବୁ ପ୍ରସ୍ତୁତି ସରିଛି। ଇଭିଏମରେ ସିଲ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟର ଆଜି ନିର୍ଣ୍ଣୟ ହେବ। କିଏ ହାରିବ ଏବଂ କିଏ ସରକାର ଗଢ଼ିବ ତା’ ଉପରେ ଏବେ ସାରା ଦେଶର ନଜର।  

ବିଧାନସଭା ନିର୍ବାଚନ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟର ଗଣତି କରାଯିବ। ଏହାପରେ ପର୍ଯ୍ୟାୟକ୍ରମେ ଇଭିଏମରେ ସଂଗୃହୀତ ଭୋଟ ଗଣତି ଆରମ୍ଭ ହେବ। ଅପରାହ୍ଣ ସୁଦ୍ଧା ସବୁ ରାଜ୍ୟରେ ନିର୍ବାଚନ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ସବୁ ରାଜ୍ୟରେ ଭୋଟ ଗଣତି କେନ୍ଦ୍ରଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ଗଣତି ସମୟରେ ସିସିଟିଭି ସର୍ଭେଲାନ୍ସରେ ରହିବ ଗଣତି କେନ୍ଦ୍ର।

ଛତିଶଗଡ଼ ଏବଂ ତେଲେଙ୍ଗା ରାଜ୍ୟରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି। ବିଭିନ୍ନ ଏକଜିଟ ପୋଲ ଅନୁସାରେ ଛତିଶଗଡ଼ରେ ଦ୍ୱିତୀୟ ଥର ଲାଗି ଭୂପେଶ ବାଘେଲ କଂଗ୍ରେସକୁ ବିଜୟ ଦେବେ। ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ମଧ୍ୟ ଅଧିକାଂଶ ଏକଜିଟ ପୋଲ ଆକଳନ କରିଛନ୍ତି।

ତେବେ ଦିନକ ପରେ ସବୁ ଆକଳନ ସ୍ପଷ୍ଟ ହୋଇଯିବ। କେଉଁ ରାଜ୍ୟରେ କିଏ ସରକାର ଗଢ଼ିବେ ଏବଂ କାହାକୁ ନିରାଶ ହେବାକୁ ପଡ଼ିବ।

Tags: #AssemblyElections #Results #VoteCounting #Politics #India

Comment