ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ର ଉପକୂଳରେ ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଲ୍ୟାଣ୍ଡଫଲ ସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ରହିଛି। ଏହି ପବନର ବେଗସହ ବାତ୍ୟା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏହି ସମୟରେ ସମୁଦ୍ର ଜୁଆର ଏକ ମିଟରରୁ ଦେଢ଼ ମିଟର ଉପରକୁ ଉଠିବା ସହ ଆନ୍ଧ୍ର ଉପକୂଳର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ପବନର ବେଗ ବଢ଼ୁଥିବାରୁ ଗଛ ଉପୁଡ଼ିବା ସହ କଚ୍ଚାଘର ପ୍ରଭାବିତ ହେବା ସମ୍ଭାବନା ରହିଛି। ଏହା ସହ ଧାନ ଚାଷ ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଲ୍ୟାଣ୍ଡଫଲ ପରେ ମଙ୍ଗଳବାର ରାତି ସୁଦ୍ଧା ଭୀଷଣ ବାତ୍ୟା ‘ମିଗଜୋମ’ କ୍ରମଶଃ ଦୁର୍ବଳ ହୋଇ ଅଭୀର ଅବପାତରେ ପରିଣତ ହେବ। ବାତ୍ୟା ପ୍ରଭାବରେ ମଙ୍ଗଳବାର ଦିନ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ସେହିପରି ଡିସେମ୍ବର ୬ରୁ ୭ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।


Tags: #Weather #WeatherUpdates #Cyclone #Michaung #Migjaum #Landfall #AndraPradhesh #Bapatla

Comment