ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ‘ମିଗଜୋମ’ କ୍ରମଶଃ ଦୁର୍ବଳ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲ୍ୟାଣ୍ଡଫଲର ପରବର୍ତ୍ତୀ ପ୍ରଭାବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି।

ଗଜପତି ଜିଲ୍ଲା ସହ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇ ଧାନଚାଷ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି। କୋଟିଆ ପଞ୍ଚାୟତ ମାଡ଼କାର ଗାଁକୁ ଯିବା ରାସ୍ତାରେ ଭୁସ୍ଖଳନ ହେବା ସହ ପାହାଡ଼ ଉପରୁ ପଥର ଖସି ଦୀର୍ଘ ସମୟ ରାସ୍ତା ଅବରୋଧ ହୋଇଥିଲା। ନବରଙ୍ଗପୁରରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନୀ ହୋଇଛି। ମଙ୍ଗଳବାର ରାତିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି।

ରାଜଧାନୀ ଭୁବନେଶ୍ଵର ଏବଂ କଟକରେ ବୁଧବାର ସକାଳୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ଜାରି ରହିଛି। ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ଭୁନେଶ୍ଵରରେ ୨୦.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଜାରି ରହିବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳକ ପାଣିପାକ କେନ୍ଦ୍ର। ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠିଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଆସନ୍ତା ୧୨ ତାରିଖ ସୁଦ୍ଧା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ କୁହାଯାଇଛି।

Tags: #Weather #WeatherUpdates #Cyclone #Michaung #Migjaum #Landfall #AndraPradhesh #Bapatla #Rainfall

Comment