ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଚାଲିଛି ଖେଳାଳି ନିଲାମ। ୩୩୨ ଖେଳାଳିଙ୍କୁ ନେଇ ହେଉଥିବା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି ଆଇପିଏଲର ୧୦ଟି ଦଳ। ଏ ଯାଏଁ ଚାଲିଥିବା ଏହି ନିଲାମିରେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚଲ୍ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି। ତାଙ୍କର ବେସ ପ୍ରାଇସ୍ ୨ କୋଟି ଟଙ୍କା ଥିଲା।

ସେହିପରି ଏହି ନିଲାମିରେ ମିଚଲ୍ ଷ୍ଟାର୍କଙ୍କ ପୂର୍ବରୁ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ୍ କମିନ୍ସ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ। ଷ୍ଟାର୍କଙ୍କ ବେସ ପ୍ରାଇସ୍ ୨ କୋଟି ଟଙ୍କା ଥିବାବେଳେ ତାଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା। ଅଷ୍ଟ୍ରେଲୀୟ ଖେଳାଳିମାନେ ଆଇପିଏଲର ଦାମୀ ଖେଳାଳି ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପଟେ ସେହିପରି ନ୍ୟୁଜିଲାଣ୍ଡର ଡ୍ୟାରିଲ୍ ମିଚେଲଙ୍କୁ ୧୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ୍ କିଣିଛି। ଭାରତୀୟ ବୋଲର ହର୍ଶଲ ପଟେଲଙ୍କୁ ୧୧ କୋଟି ୭୫ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ୍ କିଣିଛି। ସେହିପରି ୱେଷ୍ଟଇଣ୍ଡିଜ ପେସ ବୋଲର ଅଲଜାରି ଜୋସେଫଙ୍କୁ ୧୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ।

ମଙ୍ଗଳବାର ଆଇପିଏଲ ଖେଳାଳି ନିଲାମର ପ୍ରଥମ ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ୍ ଖେଳାଳି ରୋମାନ୍ ପାୱେଲଙ୍କ ଉପରେ ପ୍ରଥମ ବିଡ୍ କରାଯାଇଥିଲା, ଯାହାଙ୍କୁ ୭ କୋଟି ୪୦ ଲକ୍ଷ ଟଙ୍କାରେ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ କରିଥିଲା। ଏହା ପରେ ଇଂଲଣ୍ଡର ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି ଟଙ୍କାରେ କିଣିଥିଲା।

ସେହିପରି ଅଷ୍ଟ୍ରେଲିଆର କ୍ରିକେଟର ଟ୍ରାଭିସ୍ ହେଡଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୬ କୋଟି ୮୦ ଲକ୍ଷ ଟଙ୍କାରେ, ଦକ୍ଷିଣ ଆଫ୍ରିକାର କ୍ରିକେଟର ଜେରାଲଡ୍ କୋଟଜିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟି ଟଙ୍କାରେ, ଭାରତୀୟ କ୍ରିକେଟର ଶାର୍ଦୁଲ ଠାକୁରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୪ କୋଟିରେ, ନ୍ୟୁଜିଲାଣ୍ଡ କ୍ରିକେଟର ରାଚିନ୍ ରବିନ୍ଦ୍ରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ।

ତେବେ ଏଥର ମୋଟ ୭୭ ଜଣ ଖେଳାଳିଙ୍କୁ କିଣିବା ପାଇଁ ଆଇପିଏଲ ନିଲାମ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଆଇପିଏଲ୍ ପରିଚାଳନା ପରିଷଦ ୧,୧୬୬ ଜଣ ଖେଳାଳିଙ୍କ ତାଲିକା ବିଭିନ୍ନ ଫ୍ରାଞ୍ଚାଇଜକୁ ଦେଇଥିଲା। ହେଲେ ଫ୍ରାଞ୍ଚାଇଜର ପରାମର୍ଶ ପରେ ଖେଳାଳିଙ୍କ ସଂଖ୍ୟା ୩୩୨କୁ ହ୍ରାସ କରାଯାଇଥିଲା।

ନିଲାମରେ ମୋଟ ଖେଳାଳିଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ ଏବଂ ୧୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏହି ନିଲାମରେ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ଖେଳାଳିମାନଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ମୋଟ ୨୬୨ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରି କରିପା‌ରିବେ।
Tags: #IPL2024 #PlayerAuction #Cricketers #BCCI #Dubai

Comment