ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବା ଲାଗି ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ ବିରୋଧରେ ୨୦୨୧ ୱାସିଂଟନର କ୍ୟାପିଟାଲ ହିଲ୍ ହିଂସା ମାମଲାରେ କୋଲୋରାଡୋ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ କୋର୍ଟଙ୍କ ଏହି ରାୟ ପରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କଲୋରାଡୋରେ ୨୦୨୪ ମାର୍ଚ୍ଚ ମାସରେ ହେବାକୁଥିବା ରିପବ୍ଲିକାନ ପାର୍ଟିର ନିର୍ବାଚନ ଲଢ଼ିପାରିବେ ନାହିଁ। ଏହାସହ ଏହି ପାର୍ଟିର ନିର୍ବାଚନରେ ସେ ଭୋଟ ମଧ୍ୟ ଦେଇପାରିବେ ନାହିଁ। ଏଥିପାଇଁ ସେ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ।

୨୦୨୧ ଜାନୁଆରି ୬ ତାରିଖରେ ୱାସିଂଟନର କ୍ୟାପିଟାଲ ହିଲ୍ ହିଂସାରେ ଡୋନାଲ୍ଡ ଟ୍ରମ୍ପ ଭୂମିକା ରହିଥିବା ପ୍ରମାଣିତ ହୋଇଛି ବୋଲି କୋଲୋରାଡୋ ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି। ଏଥିପାଇଁ ଆମେରିକୀୟ ସମ୍ବିଧାନର ୧୪ତମ ସଂଶୋଧନର ଧାରା ୩ ଅନୁସାରେ କୋର୍ଟ ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇଛନ୍ତି।

ଅନ୍ୟପଟେ ଟ୍ରମ୍ପଙ୍କ ସମର୍ଥକମାନେ କୋର୍ଟଙ୍କ ଏହି ରାୟକୁ ତ୍ରୁଟିଯୁକ୍ତ ଓ ଅଗଣତାନ୍ତ୍ରିକ କହିଛନ୍ତି। ଏବେ ଟ୍ରମ୍ପ କୋର୍ଟଙ୍କ ଏହି ରାୟ ବିରୋଧରେ ଆମେରିକାର ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ଚର୍ଚ୍ଚା ହେଉଛି।    

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୱାସିଂଟନର ‘ସିଟିଜେନ୍ସ ଫର୍‌ ରେସପନ୍ସିବିଲିଟି ଆଣ୍ଡ୍‌ ଏଥିକ୍ସ୍‌’ ସଙ୍ଗଠନ ପକ୍ଷରୁ କଲୋରାଡୋ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପରାଜିତ ହେବାପରେ ସେ କ୍ୟାପିଟାଲ ହିଲରେ ଆକ୍ରମଣ ପାଇଁ ନିଜ ସମର୍ଥକମାନଙ୍କୁ ଉସୁକାଇଥିବା ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଏହାସହ ଟ୍ରମ୍ପ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବାରେ ବାଧା ସୃଷ୍ଟି କରିଥିବା ଦର୍ଶାଇଥିଲା ସଙ୍ଗଠନ। ଏଥିପାଇଁ ତାଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା।  

Tags: #DonaldTrump #USPresidentialElections #ColoradoSupremeCourt #USFederalSystem #Democracy #USA

 

Comment