ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାମୀଙ୍କଠାରୁ ପୁଅକୁ ଦୂରେଇବାର ଜିଦ୍ ପାଇଁ ନିଜ ଜନ୍ମକଲା ପୁଅକୁ ହିଁ ମାରିଦେଲା ମା’।

କୁହାଯାଏ ମା’ କେବେ ନିଜ ସନ୍ତାନର ଅମଙ୍ଗଳ କଥା ଚିନ୍ତା କରିପାରେ ନାହିଁ। କିନ୍ତୁ ଜଣେ ମା’ ନିଜ ଜନ୍ମକଲା ୪ ବର୍ଷର ପୁଅକୁ ହତ୍ୟା କରିଥିବା ଚିତ୍ର ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ।

ନିଜ କଅଁଳ ଶିଶୁକୁ ହତ୍ୟା କରିଥିବା ମହିଳା ଜଣକ କୌଣସି ମାନସିକ ବିକାରଗ୍ରସ୍ତ ନୁହଁନ୍ତି କିମ୍ବା ଅଶିକ୍ଷିତ ନୁହଁନ୍ତି। ସେ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତା, ଗୋଟିଏ ଏଆଇ ଫାର୍ମର ସିଇଓ। ଅଭିଯୁକ୍ତାଙ୍କ ନାଁ ହେଉଛି ସୂଚନା ସେଠ। ପୁଅକୁ ହତ୍ୟା କରିବା ଅଭିଯୋଗରେ ସୂଚନାଙ୍କୁ ପୋଲିସ ଗିରଫ କରିଛି।

ସ୍ଵାମୀଙ୍କଠାରୁ ନିଜ ପୁଅକୁ ଦୂରେଇ ରଖିବା ପାଇଁ ସୂଚନା ଏଭଳି କାଣ୍ଡ ଭିଆଇଥିବା ପୋଲିସକୁ କହିଛନ୍ତି।

କାହିଁକି ଏତେ ନିର୍ମମ ହେଇଗଲେ ସୂଚନା?

୨୦୧୦ ମସିହାରେ ପଶ୍ଚିମବଙ୍ଗର ସୂଚନା ସେଠ କେରଳ ଜଣେ ଯୁବକଙ୍କୁ ବିବାହ କରିଥିଲେ। ୨୦୧୯ ମସିହାରେ ସୂଚନା ଗୋଟିଏ ପୁଅକୁ ଜନ୍ମ ଦେଇଥିଲେ। ୨୦୨୦ ମସିହାଠାରୁ ଉଭୟ ସୂଚନା ଏବଂ ତାଙ୍କ ସ୍ଵମୀଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ପରେ ଦୁହେଁ ବିବାହ ବିଚ୍ଛେଦ ପାଇଁ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଉଭୟଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇଥିଲା। କୋର୍ଟଙ୍କ ଆଦେଶ ଅନୁସାରେ ପଅକୁ ବାପା ପ୍ରତି ରବିବାର ଦେଖା କରିପାରିବେ। କିନ୍ତୁ ସୂଚନା ଚାହୁଁନଥିଲେ ତାଙ୍କ ପୁଅ ତା’ ବାପା ସହ କୌଣସି ସମ୍ପର୍କ ରଖୁ। ବାପାଠାରୁ ପୁଅକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ ସୂଚନା ସେଠ।

କେମିତି ଖୋଲିଲା ହତ୍ୟା ଗୁମର?

କିଛି ଦିନ ପୂର୍ବରୁ ସୂଚନା ନିଜ ପୁଅକୁ ନେଇ ଗୋଆ ବୁଲିବା ପାଇଁ ଯାଇଥିଲେ। ସେଠାରେ ଗୋଟିଏ ହୋଟେଲରେ କିଛି ଦିନ ରହିଥିଲେ। କିନ୍ତୁ ହୋଟେଲରୁ ଏକା ଘରକୁ ଫେରିବା ପାଇଁ ଚେକ୍ ଆଉଟ କରିଥିଲେ। ହୋଟେଲର ଜଣେ ଷ୍ଟାଫ ତାଙ୍କୁ ପୁଅ ବିଷୟରେ ପଚାରିବାରୁ ପୁଅକୁ ଆଗରୁ ପଠାଇ ଦେଇଥିବା ସୂଚନା କହିଥିଲେ।

ସୂଚନାଙ୍କ କଥା ଶୁଣି ହୋଟେଲ ଷ୍ଟାଫଙ୍କର ସନ୍ଦେହ ହୋଇଥିଲା। ପରେ ସୂଚନା ଗୋଟିଏ ଟ୍ୟାକ୍ସିରେ ନିଜ ଲଗେଜ ଲୋଡ କରି ଘରକୁ ଫେରି ଯାଇଥିଲେ। ପରେ ହୋଟେଲ ଷ୍ଟାଫ ସୂଚନା ରହୁଥିବା ରୁମକୁ ଯିବା ପରେ ଯାହା ଦେଖିଥିଲେ ସେମାନଙ୍କର ହୋସ୍ ଉଡ଼ିଯାଇଥିଲା। ରୁମରେ ରକ୍ତ ଛିଟା ଦେଖି ସେମାନଙ୍କର ଚୂନାଙ୍କ ଉପରେ ସନ୍ଦେହ ହୋଇଥିଲା। ହୋଟେଲ ମାନେଜର ଏ ସମ୍ପର୍କରେ ଗୋଆ ପୋଲିସକୁ ତୁରନ୍ତ ଜଣାଇଥିଲେ।

ପୋଲିସ ସୂଚନାଙ୍କୁ ଧରିବା ପାଇଁ ସଂଗେ ସଂଗେ ଗୋଟିଏ ଟିମ୍ ଗଠନ କରିଥିଲା। ସୂଚନା ଯାଉଥିବା ଟ୍ୟାକ୍ସିର ଡ୍ରାଇଭର ନମ୍ବର ପୋଲିସ ପାଇବାକୁ ସଫଳ ହୋଇଥିଲା। ଏହା ପରେ ପୋଲିସ ସମ୍ପୃକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ଫୋନ କରି ନିକଟସ୍ଥ ପୋଲିସ ଷ୍ଟେସନକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲା। ସୂଚନାଙ୍କ ଅଜାଣତରେ ଟ୍ୟାକ୍ସି ଡ୍ରାଇଭର ନିକଟସ୍ଥ ପୋଲିସ ଷ୍ଟେସନ ଆଗରେ ନିଜ ଗାଡ଼ିକୁ ରଖିଥିଲେ। ଗାଡ଼ି ରହିବା ମାତ୍ରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ କର୍ମଚାରୀ ସୂଚନାଙ୍କୁ ଥାନାକୁ ନେଇଯାଇଥିଲେ।

ପୋଲିସ ସୂଚନାଙ୍କୁ ଥାନାରେ ଅଟକ ରଖିବା ସହ ତାଙ୍କ ଲଗେଜ ଥାନାକୁ ଆଣି ଚେକ୍ କରିବା ପାଇଁ ଖୋଲିଥିଲେ। ପୋଲିସ କର୍ମଚାରୀମାନେ ଲଗେଜ ବ୍ୟାଗ ଭିତରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ଵାସ କରିପାରିଲେ ନାହିଁ। ଗୋଟିଏ କଅଁଳ ଶିଶୁର ରକ୍ତ ଜୁଡ଼ୁବୁଡ଼ୁ ମରଶରୀରକୁ ଗୋଟିଏ ପଲିଥିନ ଗୁଡ଼େଇ ରଖାଯାଇଥିଲା।

ଥାନା ଅଧିକାରୀ ସୂଚନାଙ୍କୁ କିଛି ପଚାରିବା ପୂର୍ବରୁ ନିଜ ପୁଅକୁ ହୋଟେଲରେ ହତ୍ୟା କରିଥିବା ସ୍ଵୀକାର କରିଥିଲେ ସୂଚନା। ଗୋଆ ଡିଜିପି ଜସପାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏକ ହତ୍ୟା ମାମଲା ରୁଜୁ ଅଭିଯୁକ୍ତା ମା’ ସୂଚନା ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Tags: #SuchanaSeth #Murder #Karnatak #Goa #PoliceInvestigation

Comment